Categories: ଖେଳ

ଆନନ୍ଦଙ୍କୁ ହଟାଇ ଗୁକେଶ ଭାରତର ନମ୍ବର ଓ୍ବାନ୍‌

ଚେନ୍ନାଇ,୨ା୯: କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କୁ ହଟାଇ ସ୍ବଳ୍ପ ବୟସ୍କ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ଟପ୍‌ ଚେସ୍‌ ଖେଳାଳି ହୋଇଛନ୍ତି। ଆନନ୍ଦ ୧୯୮୬ ଜୁଲାଇରୁ ଏପର୍ଯ୍ୟନ୍ତ ଭାରତର ନମ୍ବର ଓ୍ବାନ ଖେଳାଳି ରହି ଆସିଥିଲେ। ନିକଟରେ ବାକୁଠାରେ ଫିଡେ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ମାଗ୍ନସ କାର୍ଲସେନଙ୍କଠାରୁ ପରାଜିତ ହୋଇଥିବା ଚେନ୍ନାଇର ୧୭ବର୍ଷୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଆନନ୍ଦଙ୍କ ଆଗରେ ବିଶ୍ୱର ୮ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହୋଇପାରିଛନ୍ତି। ଫିଡେ ରେଟିଂରେ ସେ ପ୍ରଥମ ଥର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଆନନ୍ଦ ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୯ମ ସ୍ଥାନରେ ଅଛନ୍ତି। ଶୁକ୍ରବାର ସୁଦ୍ଧା ଫିଡେ ରେଟିଂରେ ଗୁକେଶଙ୍କ ପଏଣ୍ଟ ସଂଖ୍ୟା ୨୭୫୮ ରହିଥିବା ବେଳେ ଆନନ୍ଦଙ୍କର ୨୭୫୪ ରହିଛି। ଅଗଷ୍ଟ ୧ ପରଠାରୁ ଗୁକେଶ ରେଟିଂ ତାଲିକାରେ ୩ ସ୍ଥାନ ପଦୋନ୍ନତି ପାଇଛନ୍ତି। ଅନ୍ୟ ଜଣେ ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଆର. ପ୍ରଜ୍ଞାନନ୍ଦ ୨୭୨୭ ରେଟିଂ ପଏଣ୍ଟ ସହ ତାଲିକାରେ ୧୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଗୁକେଶ ଓ ଆନନ୍ଦଙ୍କ ପଛକୁ ସେ ବର୍ତ୍ତମାନ ଭାରତର ୩ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି। ବର୍ତ୍ତମାନ ଭିଦିତ ସନ୍ତୋଷ ଗୁଜରାଠୀ (୨୭ ନମ୍ବର) ଓ ଅର୍ଜୁନ ଏରିଗାଇସି (୨୯ନମ୍ବର)ଙ୍କ ସମେତ ୫ ଭାରତୀୟ ଟପ୍‌ ୩୦ ମଧ୍ୟରେ ରହିଛନ୍ତି। ଅଭିଜ୍ଞ ପି. ହରିକ୍ରିଷ୍ଣା ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାର ୩୧ତମ ସ୍ଥାନରେ ଅଛନ୍ତି। ବାକୁଠାରେ ବିଶ୍ୱକପ୍‌ ବେଳେ ଗୁକେଶ ର଼୍ୟାଙ୍କିଙ୍ଗରେ ତାଙ୍କ ଆଦର୍ଶ ଓ ମେଣ୍ଟରଙ୍କୁ ଅତିକ୍ରମ କରିଯାଇଥିଲେ। ୧୯୮୬ ଜୁଲାଇ ୧ରୁ ଭାରତର ଏକ ନମ୍ବର ଖେଳାଳି ରହିଥିବା ଆନନ୍ଦ ୩୭ ବର୍ଷ ପରେ ପ୍ରଥମ ସ୍ଥାନ ହରାଇଛନ୍ତି।

Share