ଉପକୂଳ ଅତିକ୍ରମ କଲା ‘ଗୁଲାବ’

ଭୁବନେଶ୍ୱର,୨୬।୯: ବାତ୍ୟା ‘ଗୁଲାବ’ ରବିବାର ରାତିରେ ଉପକୂଳ ଅତିକ୍ରମ କରିଛି। ପୂର୍ବ ଆକଳନ ଅନୁସାରେ, ରବିବାର ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟ୍ଟନମ୍‌ଠାରୁ ୨୫ କିମି ଦୂର ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍‌ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଗଜପତି ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଏହାସହ ୩୦ରୁ ୪୦ କି.ମି. ବେଗରେ ପବନ ବୋହିଥିଲା। ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ସମେତ ଆଖପାଖ ଜିଲାରେ ସାମାନ୍ୟ ବର୍ଷା ଲାଗି ରହିଥିଲା।