Categories: ଜାତୀୟ

‘ଓମିକ୍ରନ’କୁ ନେଇ ଚିନ୍ତା ପ୍ରକଟ କଲେ ଗୁଲେରିଆ

ନୂଆଦିଲ୍ଲୀ,୨୮।୧୧: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଛି। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରିଲେଣି। ତେବେ କରୋନାର ଏହି ନୂଆ ଭାରିଏଣ୍ଟର ୩୦ରୁ ଅଧିକ ମ୍ୟୁଟେସନ ଅଛି। ଏହା ବିରୁଦ୍ଧରେ ଟିକାକରଣର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ବୋଲି ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟକଳାପ ଏହାର ଟ୍ରାନ୍ସମିସିବିଲିଟି, ଭାଇରାଲ୍ସ ଏବଂ ଇମ୍‌ୟୁନିଟି ଉପରେ ଅଧିକ ତଥ୍ୟ କ’ଣ ତାହା ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି। ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଦେଶରେ ଏହାର ଉପସ୍ଥିତି ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଅତ୍ୟଧିକ ସଜାଗ ତଥା ଆକ୍ରମଣାତ୍ମକ ନିରୀକ୍ଷଣର ଆବଶ୍ୟକତା ଉପରେ ଡକ୍ଟର ଗୁଲେରିଆ ଗୁରୁତ୍ୱାରୋପ କରିଛନ୍ତି।
କରୋନାର ଉପଯୁକ୍ତ ନିୟମ ଅନୁସରଣ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ, ଲୋକମାନେ ଟିକାର ଉଭୟ ଡୋଜ୍‌ ନେବା ଆବଶ୍ୟକ ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ଟିକା ଗ୍ରହଣ କରିନାହାଁନ୍ତି ସେମାନଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରାଯିବା ଉଚିତ୍‌।
ସୂଚନାଯୋଗ୍ୟ, ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କୁ ପ୍ରଥମେ ଓମିକ୍ରନ ଭାରିଆଣ୍ଟ ରିପୋର୍ଟ କରାଯାଇଥିଲା। ଏପର୍ଯ୍ୟନ୍ତ ଏହା ବେଲଜିୟମ, ହଂକଂ ଏବଂ ଇସ୍ରାଏଲ ସମେତ ଅନ୍ୟାନ୍ୟ ଦେଶରେ ଦେଖିବାକୁ ମିଳିଛି।

Share