ଗୁନ ସିଂହାରୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୮ ଅଭିଯୁକ୍ତ ଖଲାସ

ପୁରୀ ଅଫିସ,୨୦।୧: ପୁରୀର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର(ଗୁନ ସିଂହାରୀ) ହତ୍ୟା ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟଙ୍କ ସମେତ ୮ ଜଣଙ୍କୁ ଅତିରିକ୍ତ ଜିଲା ଦୌରା ଜଜ୍‌ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୨ ଅଗଷ୍ଟ ୨୨ରେ ପୁରୀ ସହରର କାଉନସିଲର ତଥା ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ମଣିକର୍ଣ୍ଣିକାସ୍ଥିତ ପଞ୍ଚଆତି ଜାଗା ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସହରରେ ସେ ସମୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଟାଉନ ଥାନା ପୋଲିସ ହତ୍ୟା ମାମଲାରେ ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ, କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ମାମଲା ବିଚାରାଧୀନ ଥିଲା। ବୁଧବାର ଶୁଣାଣି ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର ଓ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସତ୍ୟ ନାରାୟଣ ତ୍ରିପାଠୀ ମାମଲା ଲଢ଼ୁଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ସପକ୍ଷରେ ମାମଲାର ନିଷ୍ପତ୍ତି ଯାଇଛି। ଆଇପିସି ଦଫା ୩୦୨ରେ ଏହି ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ମଧ୍ୟ ରହିଥିଲା। ହେଲେ ଏହା ପ୍ରମାଣିତ ହୋଇପାରି ନ ଥିଲା। ପୋଲିସ ସଂଗ୍ରହ କରିଥିବା ତଥ୍ୟ ପ୍ରମାଣ ଆଧାରରେ ଶୁଣାଣି ହୋଇଛି, ଏହା ସନ୍ତୋଷଜନକ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ। ଅପରପକ୍ଷରେ ରାୟର ତର୍ଜମା କରାଯାଇ ଉପର କୋର୍ଟରେ ଅପିଲ କରିବୁ ବୋଲି ସରକାରୀ ଓକିଲ ତ୍ରିପାଠୀ କହିଛନ୍ତି୍ଯଯ

Share