ଗୁଣପୁର-ପୁରୀ ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରାଯାଉ

ଗୁଣପୁର,୨୪।୭ (ପ୍ରଦୀପ କୁମାର ପାଢ଼ୀ): ପୁରୀ-ଗୁଣପୁର ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ଦାବି ହୋଇଛି। ଏଥିସହ ବିଶାଖାପାଟଣା -ଗୁଣପୁର ଟ୍ରେନକୁ ବଂଶଧାରା ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଦୁଇଟି ଟ୍ରେନକୁ ଗଜପତି ଏବଂ ବଂଶଧାରା ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ଆନ୍ଧ୍ର-ଓଡ଼ିଶା ରେଳ ବ୍ୟବହାରିକ ସଂଘର ସଭାପତି ଡ.ସତ୍ୟପ୍ରକାଶ ପଣ୍ଡା ବିଶାଖାପାଟଣା ଡିଭିଜନର ଡିଆର୍‌ଏମ୍‌ ସୌରଭ ପ୍ରସାଦଙ୍କୁ ସୋମବାର ଚିଠିକରି ଦାବି ଜଣାଇଛନ୍ତି।

ଗୁଣପୁର ନୌପଡ଼ା ମଧ୍ୟରେ ରେଳପଥ ନିର୍ମାଣ ପାଇଁ ଓଡ଼ିଶାର ପ୍ରଥମ ତଥା ଶେଷ ପ୍ରଧାନମନ୍ତ୍ରୀ ପାରଳାଖେମୁଣ୍ଡିର କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ। ତାଙ୍କ ଉଦ୍ୟମ ନୌପଡା ଏବଂ ଗୁଣପୁର ମଧ୍ୟରେ ନ୍ୟାରୋଗେଜ ରେଳପଥ ନିର୍ମାଣ ହୋଇଥିଲା। ତେଣୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁଣପୁର-ପୁରୀ ଟ୍ରେନ୍‌ର ନାମକରଣ ଗଜପତି ଏକ୍ସପ୍ରେସ୍‌ ରଖାଯାଉ ବୋଲି ଦାବି କରିଛନ୍ତି। ସେହିପରି ଗୁଣପୁର ବିଶାଖାପାଟଣା ଟ୍ରେନର ନାମକରଣ ମଧ୍ୟ ବଂଶଧାରା ଏକ୍ସପ୍ରେସ୍‌ କରାଯାଉ ବୋଲି ଦାବି କରାଯାଇଛି। ଏହି ଟ୍ରେନ ବଂଶଧାରା ନଦୀ ଅବବାହିକା ଦେଇ ଯାତାୟାତ କରୁଛି । ଗୁଣପୁରଠାରୁ ଆନ୍ଧ୍ରର ଶ୍ରୀକାକୁଲମ ଯାତ୍ରା ସମୟରେ ୬୦ ଭାଗ ବଂଶଧାରା ନଦୀ ପ୍ରବାହିତ ହେଉଛି। ଏହି ନଦୀ ଓଡ଼ିଶା ଏବଂ ଆନ୍ଧ୍ରର ଲାଇଫ ଲାଇନ। ଏହି ସମସ୍ତ ଦୃଷ୍ଟିରୁ ଗୁଣପୁର ବିଶାଖାପାଟଣା ଟ୍ରେନ୍‌କୁ ବଂଶଧାରା ଏକ୍ସପ୍ରେସ୍‌ ନାମରେ ନାମକରଣ କରାଯିବାକୁ ଦାବି କରାଯାଇଛି ା

Share