Categories: ଜାତୀୟ

ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ

ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା ଘଟିଛି। ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ରାତିରେ ସ୍ଥାନୀୟ ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂହ ଲୋଧିଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିଲା। ସେତିକିବଳେ କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଏହା ସଂଘର୍ଷର ରୂପ ନେଇଥିଲା। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଏସ୍‌ପି ହେମନ୍ତ ଚୌହାନ ପ୍ରକାଶ କରିଛନ୍ତି। ମୃତକ ଦ୍ୱୟ ହେଲେ ଯୋଗେନ୍ଦ୍ର ସିଂହ ଏବଂ ଅରବିନ୍ଦ ଝା। ଯୋଗେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅରବିନ୍ଦଙ୍କୁ ପଥର, କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି। ଅରବିନ୍ଦ ଉକ୍ତ ପାର୍ଟିରେ ବିଧାୟକଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିବାବେଳେ ଅତିଥି ଭାବେ ଯୋଗେନ୍ଦ୍ର ସିଂହ ଆସିଥିଲେ। ଘଟଣା ବେଳେ ବିଧାୟକ ଧର୍ମେନ୍ଦ୍ର ଉପସ୍ଥିତ ନ ଥିବା ଜଣାପଡିଛି। ତେବେ ସଂଘର୍ଷର କାରଣ ଜଣାପଡି ନାହିଁ। ସୂଚନା ଅନୁଯାୟୀ, ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟପ୍ରଦେଶ ଗସ୍ତରେ ଆସି ଦାମୋହ ଯିବାରେ କାର୍ଯ୍ୟକ୍ରମ ରହିଛି। ଏନେଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଭଳି ସ୍ଥିତିରେ ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ଜଣଙ୍କ ମୃତ୍ୟୁ ଘଟିବା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ସୃଷ୍ଟି କରିଛି। ଦାମୋହ ଜିଲା କଂଗ୍ରେସ ସଭାପତି ଅଜୟ ଟଣ୍ଡନ ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।

Share