ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ ଏକମାସ ମଧ୍ୟରେ ଗୁଣି ଗାରେଡି ସନ୍ଦେହରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଗୁରୁବାର ପୁଣି ଏପରି ଏକ ଘଟଣା ସାମନାକୁ ଆସିଛି। ମାଲକାନାଗିରି ଜିଲା ପଡିଆ ବ୍ଲକ କାଲଦାପଲି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ବାଗା କାବାସୀ ନାମକ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ହତ୍ୟା କରିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରିବା ପରେ ଶୁକ୍ରବାର ୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଖବରରୁ ଜଣାପଡିଛି ଗତ ଏକ ବର୍ଷ ମଧ୍ୟରେ ଅଭିଯୁକ୍ତ ଗଙ୍ଗା ପଡିଆମିଙ୍କ ମାଆ ଓ ଭୀମା କାରାମଙ୍କ ବାପାଙ୍କୁ ସେହି ଗ୍ରାମର ବାଗା ଗୁଣିଗାରେଡ଼ି କରି ମାରିଦେଇଥିବା ଉଭୟେ ସନ୍ଦେହ କରିଥିଲେ। ବୁଧବାର ଅପରାହ୍ନ ୨ଟାରେ ଏହି ଦୁଇଜଣ ବାଗାଙ୍କ ଘରକୁ ଆସି ଏକ ଲାଠି ଓ ଦୌଡ଼ିରେ ବାନ୍ଧି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ପରେ ଗଙ୍ଗା ଏକ କୁରାଢ଼ିରେ ବାଗାଙ୍କ ମୁଣ୍ଡ ଓ ବେକକୁ ପ୍ରହାର କରିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ବୁଧବାର ରାତିରେ ବାଗାଙ୍କ ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନଂ. ୪୩ /୨୦, ଧାରା ୩୦୨/୨୦୧ /୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିଲା। ତଦନ୍ତରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରି ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କୁରାଢ଼ି ଜବତ କରିଛି। ଶୁକ୍ରବାର ସମସ୍ତଙ୍କ ସାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝି କହିଛନ୍ତି।