କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ ପରିବାର ଏବେ ରାସ୍ତାରେ ସୁରକ୍ଷା ପାଇଁ ବୁଲୁଛନ୍ତି। ଏନେଇ ସେମାନେ ଶୁଆକାଠି ଫାଣ୍ଡିକୁ ମଙ୍ଗଳବାର ରାତିରେ ଯାଇଥିଲେ ହେଁ ସେମାନଙ୍କୁ ସୁରକ୍ଷା ନ ମିଳିବାରୁ ବୁଧବାର ସେମାନେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏନେଇ ସେମାନଙ୍କୁ ସହାୟତା କରୁଥିବା ଜିଲା କୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୟ ପାଇକରାୟ କହିଛନ୍ତି, ସେମାନଙ୍କୁ ଥଇଥାନ ଓ ସୁରକ୍ଷାର ଦାୟିତ୍ୱ ପ୍ରଶାସନର ରହିଛି। ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ଗାଁ ଛାଡ଼ିବାକୁ କହିଥିବା ନେଇ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ପୋଲିସ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, ସୁଲତାନୀ ତାଙ୍କ ସ୍ବାମୀ, ଦୁଇ ପୁଅ ବୋହୂ, ଝିଅ ସହିତ ଉକ୍ତ ଗ୍ରାମରେ ରହିଆସୁଥିଲେ। ଆଇନଜୀବୀଙ୍କ ଠାରେ ସେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ସହିତ ଗ୍ରାମର ଜଣେ ଯୁବକ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରି ଛାଡ଼ିଦେବାରୁ ଲୋକଲଜ୍ଜା ପାଇଁ ଆତ୍ମହତ୍ୟା କରିଥିଲେ। ଏହା ପରେ ଉକ୍ତ ଯୁବକ କୌଣସି ଏକ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ପରିବାର ଲୋକ ସନ୍ଦେହ କରୁଥିଲେ ଯେ, ସୁଲତାନୀ ଗୁଣିଗାରେଡ଼ି କରି ତାଙ୍କ ପୁଅକୁ ରୋଗାଗ୍ରସ୍ତ କରିଦେଇଛନ୍ତି। ଏଥିପାଇଁ ସେମାନେ ସୁଲତାନୀ ପରିବାରକୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇ ଆସୁଥିଲେ। ଗତ ରବିବାର ଉକ୍ତ ଯୁବକଙ୍କ ଦେହାନ୍ତ ହେବାରୁ ତାଙ୍କ ପରିବାର ଅଧିକ କ୍ରୋଧାନ୍ବିତ ହୋଇ ନିର୍ଯାତନା ଦେବା ସହ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ। ଫଳରେ ପରିବାର ଲୋକ ଏଣେ ତେଣେ ପଲାଇଗଲେ। ବୋହୂମାନେ ବାପଘରକୁ ପଳାଇ ଯାଇଥିବା ବେଳେ ତାଙ୍କ ସ୍ବାମୀ ଅନ୍ୟତ୍ର ପଳାଇଲେ। ସୁଲତାନୀ ତାଙ୍କ ଦୁଇ ପୁଅ ସହିତ ଗତକାଲି ଶୁଆକାଟି ଫାଣ୍ଡିକୁ ଯିବା ପରେ ପୋଲିସ ଜଣେ ପୋଲିସ କର୍ମଚାରୀ ସହିତ ସେମାନଙ୍କୁ ଉକ୍ତ ଗ୍ରାମକୁ ପଠାଇଲେ। ସେଠାରେ ଲୋକମାନେ ସେମାନଙ୍କ ଜିନିଷପତ୍ର ନଷ୍ଟ କରିବା ସହ ମାରଧର କରିବାରୁ ସେମାନେ ଭୟଭୀତ ହୋଇ ପଳାଇଆସିଲେ। ଉକ୍ତ ଘଟଣାକୁ ନେଇ ସାଙ୍ଗରେ ଯାଇଥିବା ପୋଲିସ କର୍ମଚାରୀ ମଧ୍ୟ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ ହେଁ କେହି ସେମାନଙ୍କୁ ସୁରକ୍ଷା ଦେବାକୁ ନ ଆସିବାରୁ ସେମାନେ ଭୟ ଓ ଆଶଙ୍କା ମଧ୍ୟରେ ପାଖ ଜଙ୍ଗଲରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ନିଜର ଜୀବନ ପ୍ରତି ଭୟ ଥିବାରୁ ଆଜି କୋର୍ଟକୁ ଆସି ଆଇନଜୀବୀଙ୍କ ସହାୟତା ଲୋଡ଼ିଛନ୍ତି। ଏଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ଦେବାକୁ ସେମାନେ ଜିଲା ପୋଲିସ ପ୍ରଶାସନ ତଥା ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଏନେଇ ସରୋଜ ମୁଦୁଲି, ଶୁଆକାଟି ଫାଣ୍ଡି ଅଧିକାରୀ କହିଛନ୍ତି, ସୁଲତାନୀଙ୍କ ଏତଲା କ୍ରମେ ଏକ କେସ୍ ହୋଇଛି। ସେଥିରେ ସେ ଗୁଣିଗାରେଡ଼ି କଥା ଉଲ୍ଲେଖ କରିନାହାନ୍ତି । ତେବେ ତଦନ୍ତ ଚାଲିଛି ।