ଗୁଣିଗାରେଡ଼ି ସନ୍ଦେହ: ଘରେ ପଶି ନିସ୍ତୁକ ପିଟିଲେ

ପାରଳାଖେମୁଣ୍ଡି:୩୧।୭: ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ଆକ୍ରମଣ କରିଛନ୍ତି। ପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଫୋପାଡି ଦେଇଛନ୍ତି। ସେ ହେଲେ ରାଜାରାଓ ନାଗବଂଶ।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସୁବାସନଗରର ଜଣେ ନାବାଳିକା ପ୍ରାୟ ୧ ମାସ ହେବ ଅସୁସ୍ଥ ଅଛନ୍ତି। ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇବା ପରେ ମଧ୍ୟ ସେ ଭଲ ହେଉ ନ ଥିବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ପରିବାର ଲୋକେ ଝଡ଼ାଫୁଙ୍କା ମଧ୍ୟ କରାଉଛନ୍ତି । ତଥାପି କିଛି ସୁଫଳ ମିଳୁନି। ତେବେ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ହଠାତ ରାଜାରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା। ପୂର୍ବରୁ ଏହି ପରିବାରକୁ ଗୁଣିଗାରେଡି ନେଇ ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଉତ୍ତେଜିତ କରିଥିଲା । ଫଳରେ ଗ୍ରାମବାସୀ ରାଜାରାଓଙ୍କ ଘରେ ପଶି ଆକ୍ରମଣ କରିବା ସହ ଘରର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଅନ୍ୟପଟେ ରାଜାରାଓ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ତଦନ୍ତ କରିଥିଲା।