Advertisement

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି। ତିନି ଜଣ ଦୃର୍ବୁତ୍ତ ଏହି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଲୁଟ ବେଳେ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇ ଥିବା ବେଳେ ସେମାନଙ୍କ ମାଡ଼ରେ ଗନମ୍ୟାନ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ଟଙ୍କା ଲୁଟ ବିଫଳ ହେବା ପରେ ଲୁଟେରା ମାନେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି। ବିଭିନ୍ନ ଥାନାକୁ ସୂଚନା ଦେବା ସହ ସୀମା ବର୍ତ୍ତି ଅଞ୍ଚଳରେ ଚଢାଉ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ମିଳି ନ ଥିବା ଜଣା ପଡ଼ିଛି। ଝାଡ଼ଖଣ୍ଡ ସୀମା ବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ସୀମା ପାର ହୋଇ ଖସି ପଳାଇଥିବା ଅନୁମାନ ହେଉଛି।

ପୋଲିସ ଆଖପାଖ ସିସିଟିଭି ଫୁଟେଜ ଓ ଲୋକଙ୍କୁ ପଚରା ଉଚୁରା କରି ଘଟଣାର ସଠିକ୍ ସୂଚନା ସଂଗ୍ରହ କରୁଛି। ବର୍ତମାନ ଉତ୍ସବର ସମୟ ଥିବା ବେଳେ ଯୋଡ଼ା ଅଞ୍ଚଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅନ୍ୟ ପୂଜା ଅପେକ୍ଷା ଧୂମଧୁମାରେ ପାଳିତ ହୋଇଥାଏ। ଏଣୁ ଲୋକଙ୍କ ସୁବିଧା ପାଇଁ ଓ କାଲି ଛୁଟି ଥିବାରୁ ଟଙ୍କା ଏଟିଏମ କାଉଣ୍ଟରରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି। ଗାଡ଼ିରେ ପାଖାପାଖି ୩୮ ଲକ୍ଷ ଟଙ୍କା ଥିବା ବେଳେ ଏହି ଟଙ୍କା ବିଭିନ୍ନ ସ୍ଥାନରେ ଥିବା ଏଟିଏମ କାଉଣ୍ଟର ରେ ଭର୍ତ୍ତି କରିବାକୁ ନେଉଥିଲେ।

ଏନେଇ ଯୋଡ଼ା ଥାନା ଅଧିକାରୀ ଲୋକେଶ୍ୱର୍ ସାହୁ କହିଛନ୍ତି ଯେ ଟଙ୍କା ସୁରକ୍ଷିତ ଅଛି। ଲୁଟେରା ଙ୍କୁ ଖୋଜା ଚାଲିଛି। ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବିଶେଷ କରି ପୂଜା ପାର୍ବଣ ସମୟରେ ଅଧିକ ଟଙ୍କା ନେବା ଆଣିବା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନେଇ ପୋଲିସ ବିଭାଗ ବାରମ୍ବାର ବ୍ୟାଙ୍କ୍ ଓ ଅନ୍ୟ ମାନଙ୍କୁ କହି ଆସୁଥିବା ବେଳେ ସେସବୁ ପାଳନ ହେଉଛି କି ନାହିଁ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share