ପ୍ରାଥମିକ ସ୍କୁଲରେ ଆଖିବୁଜା ଗୁଳିମାଡ଼: ୮ ମୃତ, ୧୨ ଆହତ

ୟାଉଣ୍ଡେ, ୨୫।୧୦: ଆଫ୍ରିକୀୟ ଦେଶ କ୍ୟାମେରୁନ୍‌ରେ କେତେକ ଅଜଣା ବନ୍ଧୁକଧାରୀ ଏକ ପ୍ରାଥମିକ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୮ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ଦେଶର ଦକ୍ଷିଣ ପଶ୍ଚିମରେ ଥିବା କୁମ୍ବାଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଜଣା ବନ୍ଧୁକଧାରୀମାନେ ଗୁଳିମାଡ଼ ପରେ ମୋଟରସାଇକେଲରେ ଫେରାର ହୋାଇଯାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ମୃତ୍ୟୁ ଘଟିଥିବା ପିଲାଙ୍କ ବୟସ ୯ରୁ ୧୨ ବର୍ଷ ମଧ୍ୟରେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାମେରୁନ୍‌ ରାଷ୍ଟ୍ରପତି ମୌସା ଫକି ସହାମତ୍‌ ଟୁଇଟ୍‌ କରି ଘଟଣାର ନିନ୍ଦା କରିଛନ୍ତି। ଛୋଟ ପିଲାଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ ପ୍ରଦର୍ଶନ କରିଥିବା ଅପରାଧୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି। ବନ୍ଧୁକଧାରୀମାନେ ପିଲାଙ୍କ ଉପରେ ଗୁଳିମାଡ଼ କରିବାରୁ କେତେକ ଭୟରେ ଦୁଇ ମହଲାର ଝରକାରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି ମନ୍ତ୍ରୀ ଅଲି ଅନୈଗୁ କହିଛନ୍ତି।

Share