ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…

ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍‌ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ ଜଣ ପୋଲିସ କର୍ମୀ ମଧ୍ୟ ଥିଲେ ବୋଲି ସ୍ଥାନୀୟ ପୋଲିସ ଷ୍ଟେଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଟିମରେ ଥିବା ମହିଳା ସଦସ୍ୟ ଏବଂ ପୋଲିସଙ୍କର କୌଣସି କ୍ଷତି ହୋଇ ନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି। ପୋଲିସଙ୍କ ପାଲଟା ଗୁଳି ଚାଳନାରେ ଗୁଳି ବର୍ଷା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି।

ପୋଲିସ ଅଧିକାରୀ ରହିମ ଖାନ କହିଛନ୍ତି ଗୁଳି ବର୍ଷା କରୁଥିବା ୩ ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି। ସେମାନେ ମୋଟର ସାଇକେଲରେ ଆସିଥିଲେ।

ଏହାପୂର୍ବରୁ ମଙ୍ଗଳବାର ଟିକାକରଣ ଟିମ୍‌ର ନେତୃତ୍ୱ ନେଉଥିତ୍ବା ୨ ପୋଲିସଙ୍କୁ କିଛି ଅଜଣା ଲୋକେ ଗୁଳି କରି ହତ୍ୟା କରିଥିଲେ। କରାଚି ସହରରେ ଏଭଳି ଆକ୍ରମଣ ଅଧିକ ପୋଲିସ କର୍ମୀଙ୍କ ଉପରେ ହୋଇଥିବା କୁହାଯାଉଛି। କେତେକ ଇସଲାମ ନେତା ଏବଂ ଆତଙ୍କବାଦୀ ଗୋଷ୍ଠୀ ପାଶ୍ଚାତ୍ୟ ଶୈଳୀରେ ଟିକାକରଣ କରାଯାଉଥିବା ଅଭିଯୋଗ କରିଛନ୍ତି। ପୋଲିଓ ଟିକା ନେବା ଦ୍ୱାରା ନପୁସଂକତା ମାମଲାରେ ବୃଦ୍ଧି ଘଟୁଛି ବୋଲି ସେମାନେ କହୁଛନ୍ତି।

Share