ଗୁଣପୁର,୩୦ା୫(ଡି.ଏନ୍.ଏ.): ନେପାଳର ପୋଖରାଠାରେ ମେ ୨୯ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଫୁଟସାଲ ଚମ୍ପିୟନଶିପ୍ ପାଇଁ ରାୟଗଡ଼ା ଜିଲା ଗୁଣପୁରର ୨ ଖେଳାଳି ଚୟନ ହୋଇଛନ୍ତି। ଦୁହେଁ ହେଲେ ଜିଆଇଇଟି ବିଶ୍ୱବିଦ୍ୟାଳୟର ବି.ଟେକ୍(କୃଷି ବୈଷୟିକ ବିଭାଗ) ତୃତୀୟ ବର୍ଷର ଛାତ୍ର ରାଜୀବ ଅଧିକାରୀ ଏବଂ ଗୁଣପୁର କଲେଜର ବ୍ରିଜେଶରାଜ ଗୁପ୍ତା। ଓଡ଼ିଶାରୁ ଚୟନ ହୋଇଥିବା ଏହି ଦୁଇ ଖେଳାଳି ଭାରତୀୟ ଟିମ୍ରେ ସ୍ଥାନ ପାଇଛନ୍ତି। ଜିଆଇଇଟି ଅନୁଷ୍ଠାନର ସଭାପତି ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଜଗଦୀଶ ପଣ୍ଡା, କୁଳପତି ଗୌତମ ଘୋଷ, ରେଜିଷ୍ଟ୍ରାର ଏନ୍.ଭି.ଜେ. ରାଓ, କ୍ରୀଡ଼ା ଅଧିକାରୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଓଡ଼ିଶା ଫୁଟସାଲର ରାଜ୍ୟ ସମ୍ପାଦକ ପି.କେ. ଦଣ୍ଡସେନା ପ୍ରମୁଖ ଦୁଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ଜାତୀୟ ଫୁଟସାଲ ଚାମ୍ପିୟନ୍ଶିପ୍ରେ ଦୁଇ ଖେଳାଳି ଓଡ଼ିଶା ଦଳରେ ଖେଳିଥିଲେ। ଏଥିସହ ଉତ୍ତମ ପ୍ରଦର୍ଶନ ଯୋଗୁ ମେ ୨୩ ରୁ ୨୬ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ଭୋପାଳଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।