ରାଉରକେଲା ଅଫିସ,୨୯।୧୨: ରାଉରକେଲା ରେଳ ଷ୍ଟେଶନ ରୋଡ୍ ଅଞ୍ଚଳରେ ଜଣେ ଗୁପ୍ଚୁପ୍ ବିକାଳିଙ୍କୁ ଆକ୍ରମଣ ଅଭିଯୋଗରେ ପ୍ଲାଣ୍ଟସାଇଟ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବେଲପାହାଡ ଥାନା ଅନ୍ତର୍ଗତ ବିବେକ ଝା(୨୨), ଅଭିନବ ସିଂ(୨୦) ଏବଂ ପ୍ରିୟାଂଶୁ ଯାଦବ(୨୧)। ଏନେଇ ପୋଲିସ ଏକ ମାମଲା (ନଂ.୫୦୨।୨୨) ରୁଜୁ କରିଛି। ସୂଚନା ଅନୁସାରେ, ରେଲୱେ କଲୋନୀ ଅଞ୍ଚଳର ରଞ୍ଜନ କେଶରୀ ରାଉରକେଲା ରେଳ ଷ୍ଟେଶନ ଗୁରୁଦ୍ୱାରା ରୋଡ୍ ଅଞ୍ଚଳରେ ଠେଲାରେ ଗୁପଚୁପ ବିକ୍ରି କରନ୍ତି। ଗତ ୨୭ ତାରିଖ ରାତି ସାଢେ ୯ଟାରେ ଅଭିଯୁକ୍ତ ଯୁବକମାନେ ନିଶାସକ୍ତ ଅବସ୍ଥାରେ ଗୁପ୍ଚୁପ୍ ଖାଇବାକୁ ରଞ୍ଜନଙ୍କ ପାଖକୁ ଆସିଥିଲେ। ଗୁପଚୁପ ସରିଯାଇଥିବା ବେଳେ ରଞ୍ଜନଙ୍କୁ ଉକ୍ତ ଯୁବକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ରଞ୍ଜନ ବାରଣ କରିବାରୁ ଉକ୍ତ ଯୁବକମାନେ ତାଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର୍ଜିଏଚ୍ରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ।