ଶ୍ରୀନଗର, ୨୦।୧୧: ହାଇଦରପୋରା ଏନ୍କାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ଲାଗି ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱରେ ୬ ଦଳୀୟ ଗୁଫ୍କାର ମେଣ୍ଟ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଗତ ସୋମବାର ଶ୍ରୀନଗରର ହାଇଦରପୋରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟବେଳେ ଦୁଇ ବ୍ୟବସାୟୀ ନିହତ ହୋଇଥିଲେ। ସେନା ଗୁଳିରେ ନିରୀହ ଲୋକଙ୍କ ଜୀବନ ଯାଇଥିବା ଦର୍ଶାଇ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିହତ ବ୍ୟବସାୟୀ ମହମ୍ମଦ ଅଲ୍ତାଫ୍ ଭଟ୍ଟ ଏବଂ ଡା. ମୁଦାସିର ଗୁଲ୍ଙ୍କ ମୃତଦେହ ଗୁରୁବାର ରାତିରେ ମାଟି ତଳୁ ଖୋଳାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ମୃତକଙ୍କ ପରିବାରକୁ ନ୍ୟାୟ ଏବଂ ମୃତଦେହ ଫେରାଇବା ନିମନ୍ତେ ନ୍ୟାଶନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଧାରଣାରେ ବସିଥିଲେ। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପୋଲିସ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଯାଇଥିଲା।