ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି ଆରମ୍ଭ

ପୁରୀ ଅଫିସ,୮।୧୦: ମୂଳାଷ୍ଟମୀଠାରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଆରମ୍ଭ ହେବା ସହ ଦୁର୍ଗାମାଧବ ଉପାସନା ଚାଲିଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା। ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଏହାକୁ ଗୁପ୍ତ ଗୁଣ୍ଡିଚା ନୀତି ବୋଲି କୁହାଯାଇଥାଏ। ଏହି ନୀତିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର। ଆଶ୍ୱିନ ମାସରେ ଷୋଳପୂଜା ସମୟରେ ପ୍ରଥମ ୮ ଦିନ ଦୁର୍ଗାମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗା ମାଧବ ଏକତ୍ର ପୂଜା ପାଇବା ଅନ୍ୟ ମନ୍ଦିରଠାରୁ ଭିନ୍ନ ହୋଇଥିବାବେଳେ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ।