ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଅନ୍ୟମାନଙ୍କ ବିରୋଧରେ ଆମେରିକାର ସଂଘୀୟ ଜିଲା ଅଦାଲତରେ ମାମଲା ଦାଏର କରିଛନ୍ତି। ଅନ୍ୟ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌) ପୂର୍ବତନ ମୁଖ୍ୟ ସାମନ୍ତ ଗୋଏଲ, ର’ ଏଜେଣ୍ଟ ବିକ୍ରମ ଯାଦବ, ଭାରତୀୟ ବ୍ୟବସାୟୀ ନିଖିଲ ଗୁପ୍ତା। ଗତବର୍ଷ ଜୁନ୍‌ରେ ଆମେରିକା ମାଟିରେ ପନ୍ନୁନଙ୍କୁ ହତ୍ୟା ଉଦ୍ୟମ ହୋଇଥିବାରୁ ସେ ଏଥିପାଇଁ କ୍ଷତିପୂରଣ ଦାବି କରିଛନ୍ତି। ଏହି ଲ’ ଶୁଟ୍‌ ପରେ ଆମେରିକା କୋର୍ଟ ଭାରତ ସରକାର ଓ ଅନ୍ୟମାନଙ୍କୁ ସମନ ଜାରି କରି ୨୧ ଦିନ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି। ଭାରତୀୟ ବଂଶୋଦ୍ଭବ ତଥା ଆମେରିକା-କାନାଡାର ଦ୍ୱୈତ ନାଗରିକତ୍ୱ ପାଇଥିବା ପନ୍ନୁନଙ୍କୁ ଭାରତ ଆତଙ୍କବାଦୀ ଘୋଷଣା କରିଛି। ତାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ସମ୍ପୂର୍ଣ୍ଣ ଅବାଞ୍ଛିତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

Share