କଲେଜବେଳର ଅନେକ ଏଭଳି ଅନୁଭୂତି ରହିଛି, ଯାହା ସତରେ ଅଭୁଲା। ତେବେ ମନେପଡ଼ୁଛି ଗୋଟିଏ ଘଟଣା। ୧୯୭୭ ମସିହାରେ ଇଣ୍ଟରମିଡିଏଟ୍ ବିଜ୍ଞାନ ପରୀକ୍ଷା ସରିଥାଏ। ଭଲ ନମ୍ବର ମଧ୍ୟ ରହିଥାଏ। ଏହାପରେ ସାଧାରଣତଃ ପିଲାମାନେ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ମୋର ପଦାର୍ଥ ବିଜ୍ଞାନ(ଥିଓରୀରେ ଶତ ପ୍ରତିଶତ), ଗଣିତରେ ପାଖାପାଖି ଶତ ପ୍ରତିଶତ ମାର୍କ ଥିବାରୁ କୌଣସି ବିଜ୍ଞାନ ବିଷୟ କିମ୍ବା ଇଞ୍ଜିନିୟରିଂ କଲେଜରେ ପଢ଼ିବା ପାଇଁ ସ୍ଥିର କରିଥିଲି। ଏପରିକି ରିଜିଓନାଲ ଇଞ୍ଜିନିୟରିଂ କଲେଜ ଓ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ଏଗ୍ରିକଲ୍ଚର ଇଞ୍ଜିନିୟରିଂ ଡିଗ୍ରୀ ପାଇଁ ଦେଇଥିବା ପ୍ରବେଶିକା ପରୀକ୍ଷାରେ ଯଥାକ୍ରମେ ୨ୟ ଓ ପ୍ରଥମ ସ୍ଥାନ ରଖିଥିଲି। ସେହିପରି ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଚାକିରି ନିମନ୍ତେ(ଟିଏସ୍ସି) ପାଇଁ ଦେଇଥିବା ପରୀକ୍ଷାରେ ବିହାର ଓ ଓଡ଼ିଶାରେ ପ୍ରଥମ ହୋଇଥିଲି। ମାତ୍ର ମୋର ଡାକ୍ତରୀ ସ୍ନାତକ ପଢ଼ିବା ପାଇଁ ଆଗ୍ରହ ନ ଥିଲା। କିନ୍ତୁ ଏଥିନିମନ୍ତେ ଆବେଦନ କରିଥିବାରୁ ପ୍ରବେଶିକା ପରୀକ୍ଷା ନ ଦେଇଥିଲେ ମଧ୍ୟ ମାର୍କ ଅନୁସାରେ ଚୟନ ହୋଇଥିଲା ଏସ୍ସିବି ମେଡିକାଲ କଲେଜରେ। ସେ ସମୟରେ ୧୦ଟି ସିଟ୍ (ଉତ୍କଳ-୪, ବ୍ରହ୍ମପୁର-୩, ସମ୍ବଲପୁର ବିଶ୍ୱବିଦ୍ୟାଳୟର- ୩) ମାର୍କ ଭିତ୍ତିରେ ଆଡମିଶନ୍ ପାଇଁ ରଖାଯାଉଥିଲା।
ମାତ୍ର ମୁଁ ପୁନଶ୍ଚ ମନେ ମନେ ସ୍ଥିର କରିଥିଲି ରେଭେନ୍ସାରେ ଇଂଲିଶ୍ କିମ୍ବା ଓଡ଼ିଆ ଅନର୍ସ ରଖି ପଢ଼ିବା ପାଇଁ। କାରଣ ମୋତେ ସାହିତ୍ୟ ଓ କାବ୍ୟ କବିତା ଭଲ ଲାଗୁଥିଲା। ଫଳରେ ମୁଁ କଲେଜରୁ ସିଏଲ୍ସି ନେଇ ନ ଥିଲି। କିନ୍ତୁ ସେ ସମୟରେ ବାଙ୍କି କଲେଜରେ ଅଧ୍ୟକ୍ଷ ଥିବା ସ୍ବର୍ଗତ ଧୀରେନ୍ଦ୍ର କୁମାର ସାମନ୍ତରାୟ ମୋତେ ପାଖକୁ ଡାକି ବୁଝାଇବା ପରେ ଶେଷ ଦିନ (ନାମଲେଖାର ଶେଷ ଦିନ) ସିଏଲ୍ସି ଦେଇ ଡାକ୍ତରୀ ଶିକ୍ଷାରେ ନାମ ଲେଖାଇବା ପାଇଁ ବାଧ୍ୟ କରିଥିଲେ ଓ କହିଥିଲେ, ରାମ ତୁମେ ଡାକ୍ତର ହେଲେ ସାହିତ୍ୟ ପଢ଼ିପାରିବ, ମାତ୍ର ସାହିତି୍ୟକ କିମ୍ବା ମୋ ପରି ଇଂଲିଶ୍ ଅଧ୍ୟାପକ ହେଲେ କାହାର କ’ଣ ଉପକାରରେ ଆସିପାରିବ? ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ହୋଇଥିଲେ ଓ ମୋର ଏମ୍ବିବିଏସ୍ର ପରବର୍ତ୍ତୀ ତାଲିମର କିଛି ଅଂଶ କମାଣ୍ଡ ହସ୍ପିଟାଲରେ ପୂରଣ କରିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ। ମୋତେ ବହୁତ ଦିନ ପଦାର୍ଥ ବିଜ୍ଞାନ ନ ପଢ଼ିଥିବାରୁ ଦୁଃଖ ଲାଗୁଥିଲା। ମାତ୍ର ଡାକ୍ତର ହୋଇ ରୋଗୀ ସେବା ଆରମ୍ଭ କଲା ପରେ ସେହି ଦୁଃଖ ମନରୁ ଦୂରେଇ ଯାଇଥିଲା।
ଏବେ ମଧ୍ୟ ନିୟମିତ ମୁଁ ପଦାର୍ଥ ବିଜ୍ଞାନ, ଗଣିତ ଓ ସାହିତ୍ୟ ବିଷୟରେ ଆଗ୍ରହ ସହକାରେ ଅଧ୍ୟୟନ କରେ। ଆଗରୁ ଶିକ୍ଷକମାନେ କିଭଳି ଛାତ୍ରୀଛାତ୍ରମାନଙ୍କର ମାର୍ଗ ପ୍ରଦର୍ଶନ କରାଉଥିଲେ ଏହା ଏକ ବିଶେଷ ଉଦାହରଣ। ଗୁରୁମାନେ ସର୍ବଦା ନମସ୍ୟ ଅଟନ୍ତି। – ଡା. ରାମଚନ୍ଦ୍ର ରାଉତ,
ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ, ଓଡ଼ିଶା