ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ। ମାଲକାନଗିରି ପୌରାଞ୍ଚଳର ୧ନମ୍ବର ଓ୍ବାର୍ଡ ଅନ୍ତର୍ଗତ ମୁଣ୍ଡାଗୁଡ଼ାଠାରେ ଜଣେ ବୃଦ୍ଧ ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର ଲୋକେ ପଚାରୁ ନ ଥିବାବେଳେ ପ୍ରଶାସନର ସହଯୋଗ ମିଳୁ ନ ଥିବାରୁ ପଲିଥିନ୍‌ ଟଣା ଭଙ୍ଗାକୁଡ଼ିଆରେ ଏକାକୀ ଦିନ କାଟୁଛନ୍ତି ଗୁରୁ କଇକି(୬୫)।

ସୂଚନାଯୋଗ୍ୟ, ଅନେକ ବର୍ଷ ପରିବାର ସହ ଖୁସିରେ ରହିବା ପରେ କୌଣସି କାରଣରୁ ପରିବାର ଲୋକେ ତାଙ୍କୁ ଛାଡ଼ି ଅଲଗାରେ ରହୁଛନ୍ତି। ବୟସ ଥିବାବେଳେ ଗୁରୁ ଜଙ୍ଗଲରୁ ଶୁଖିଲାକାଠ ସଂଗ୍ରହକରି ବଜାରରେ ବିକ୍ରିକରି ପରିବାର ଚଳାଉଥିଲେ। ବୟସ ଅଧିକ ଯୋଗୁ ଏବେ ଆଉ ସେ କାମ କରିପାରୁ ନାହାନ୍ତି। ତେଣୁ ସେ ଭିକ୍ଷାବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ସରକାରୀ ସହାୟତା ବାବଦକୁ କେବଳ ଚାଉଳ ମିଳୁଥିବାବେଳେ ତାହା ମଧ୍ୟ ପରିବାର ଲୋକେ ନେଇଯାଉଛନ୍ତି। ସେହିପରି ବୟସ ୬୫ ବର୍ଷ ହୋଇଥିଲେ ମଧ୍ୟ ଗୁରୁଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗୁରୁଙ୍କ ଏଭଳି ଅବସ୍ଥା ବିଷୟରେ ଜାଣିବା ପରେ ଅନ୍ତର୍ଜାତୀୟ ମାନବାଧିକାର କମିଶନ ମାଲକାନଗିରି ଶାଖାର ସଦସ୍ୟମାନେ ତାଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇଦେବା ସହ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପ୍ରଶାସନକୁ ମଧ୍ୟ ଅବଗତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗୁରୁଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।

Share