ଗୁରୁ ହିଁ ମାର୍ଗଦର୍ଶକ

ସୁନ୍ଦରଗଡ,୫ା୯ (ଜୟ ନାରାୟଣ ମେଣ୍ଡୁଳି): ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ବାଟ ଦେଖାନ୍ତ ସେ ହିଁ ଗୁରୁ। ଭାରତ ବର୍ଷର ଗୁରୁ ଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭାରତୀୟ ସଂସ୍କୃତିକୁ ଗୌରାନିତ୍ୱ କରିପାରିଛି। ଏହି ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୟନ୍ତୀକୁ ପବିତ୍ର ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶିକ୍ଷାଦାନ ଭଳି ମହାନ ବୃତ୍ତିକୁ ଆପଣାଇ ଶିକ୍ଷାର ଆଲୋକ ବୁଣି ଥିବା ଗୁରୁଙ୍କ ଅଭିବ୍ୟକ୍ତିକୁ ନେଇ ଉପସ୍ଥାପନା।

ଗୁରୁଶିଷ୍ୟର ପରମ୍ପରା ଆଦି କାଳରୁ ଭାରତୀୟ ସଂସ୍କୃତିର ପରିଚାୟକ। ଆଜି ମନେ ପଡେ ବାଲ୍ୟକାଳରୁ ଶିକ୍ଷକତା କରିବା ପର୍ଯ୍ୟନ୍ତ ମତେ ଶିକ୍ଷାଦାନ କରିଥିବା ଗୁରୁଙ୍କୁ। ଶିକ୍ଷକତା ଜୀବନରେ ଏହାର ମହତ୍ତ୍ୱକୁ ଆହୁରି ଅନୁଭବ କରୁଛି। ଶିକ୍ଷକଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ରାଷ୍ଟ୍ର ନିର୍ମାଣରେ ନିଜର ଅବଦାନ ଦେଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ଗୁରୁଶିଷ୍ୟ ପରମ୍ପରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ।
– ସସ୍ମିତା ଯୋଷୀ

ସହକାରୀ ଶିକ୍ଷକ, ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ।
ସଫଳ ଜୀବନ ପାଇଁ ଗୁରୁଙ୍କ ଛାପ ଅର୍ନିବାର୍ଯ୍ୟ। ଗୁରୁଙ୍କ ଚାଲିଚଳନ, ଚିନ୍ତା ଧାରା ଆଦର୍ଶ ଶିଷ୍ୟ ଉପରେ ବିଶେଷ ପ୍ରଭାବ ପକାଏ। ଗୁରୁ ଶିଷ୍ୟ ସମ୍ପର୍କ ଆମ ସମୟରେ ଯେମିତି ଥିଲା ଏବେ ମଧ୍ୟ ଅକ୍ଷୂର୍ଣ୍ଣ ରହିଛି। ଗୁରୁଙ୍କ ଗୁରୁ ଦାୟିତ୍ୱ ରହିବା ବିଧେୟ। ଏବେ ମଧ୍ୟ ଶିଷ୍ୟଙ୍କ ଭକ୍ତିଭାବ,ସମ୍ମାନବୋଧ କମି ନାହିଁ। ଏହି ସମ୍ପର୍କ ସବୁଦିନ ବଜାୟ ରହୁ। ଦେଶ, ଜାତିର ମାନ ସର୍ବଦା ଉଚ୍ଚରେ ରହୁ।
-ବିଜୟ କୁମାର ସାହୁ, ଅଧ୍ୟକ୍ଷ ଭେଡାବାହାଲ ମହାବିଦ୍ୟାଳୟ, ସୁନ୍ଦରଗଡ ।

ପିତାମାତାଙ୍କ ପରେ ମନୁଷ୍ୟକୁ ଯଦି କିଏ ସଠିକ ଦିଗଦର୍ଶନ ଦିଏ ସିଏ ହେଉଛନ୍ତି ପୂଜ୍ୟ ଗୁରୁ। ବିଦ୍ୟାଦାନ ସହ ଜ୍ଞାନ ଉଦୟ, ବିବେକାନୁମୋଦିତ କାର୍ଯ୍ୟ କରିବା ପାଇଁ ପଥ ପଦର୍ଶକ। ନିଜ ରୁଚିକୁ ଉଡାଣ ଦେବାପାଇଁ ସାହାସ ଜୁଟାଇବା। ତେଣୁ ଗୁରୁ ହିଁ ମୋ’ଜୀବନରେ ଶ୍ରେଷ୍ଠ ପଥପଦର୍ଶକ।
– ବିବିଧ ବିଶ୍ବ, ଯୁବ ଗାଳ୍ପିକ

ପିତାପୂତ୍ରଙ୍କ ସମ୍ପର୍କ ପରି ଗୁରୁ ଶିଷ୍ୟଙ୍କ ସମ୍ପର୍କ ସରଳ,ଅନାବିଳ ଓ ନିଷ୍କପଟ ହେବା ଉଚିତ। ଗୁରୁଭକ୍ତି ହିଁ ଜ୍ଞାନ ଭଣ୍ଡାର ଖୋଲିବା ପାଇଁ ପ୍ରକୃତ ଚାବିକାଠି। ନିର୍ଜିବ ପାଷାଣ ଦେହରେ ପ୍ରାଣ ସଞ୍ଚାର କରି ପାରୁଥିବା, ମୂକକୁ ବାଚାଳ କରି ପାରୁଥିବା, ମାଟି ପିଣ୍ଡୁଳାକୁ ଯେକୌଣସି ସାର୍ଥକ ପ୍ରାଣବନ୍ତ କରିପାରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱର ଅନ୍ୟ ନାମ ହେଉଛି ଗୁରୁ।

-ଶଚୀରାଣୀ ବହିଦାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ,ସୁନ୍ଦରଗଡ।

Share