ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ ସେମାନେ ହେଲେ ନିଜ ଗାଁ ଯମପଡ଼ା (କେନ୍ଦ୍ରାପଡ଼ା) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବଡ଼ ମାଷ୍ଟ୍ରେ କୃଷ୍ଣଚନ୍ଦ୍ର ବେଉରା, ରେଭେନ୍ଶା ମହାବିଦ୍ୟାଳୟର ପ୍ରଫେସର ମହେନ୍ଦ୍ର ରାଉତ ଏବଂ ମୋ ଗବେଷଣାର ଦିଗ୍ଦର୍ଶକ ପ୍ରଫେସର ଜ୍ଞାନେନ୍ଦ୍ର ନାଥ ମିତ୍ର (କୃଷି ବିଶ୍ୱବିଦ୍ୟାଳୟ)। ଏ ସମସ୍ତେ ଏବେ ସ୍ବର୍ଗବାସୀ। ତେବେ ଯାହାଙ୍କର ଆଶୀର୍ବାଦର ହାତ ଏବେ ବି ମୋ ମୁଣ୍ଡ ଉପରେ ରହିଛି ଏବଂ ମୋର ସବୁଠାରୁ ଆତ୍ମୀୟ ହୋଇପାରିଥିବା ଗୁରୁ ହେଲେ ଆମ ଗ୍ରାମ ପାଖ କରିଲୋପାଟଣାର ଜୟରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଶତପଥୀ (ଶତପଥୀଙ୍କ ଜନ୍ମ ୧୯୩୫ ମସିହା ସେପ୍ଟେମ୍ବର ୧୮ ତାରିଖ କେନ୍ଦ୍ରାପଡ଼ା ଜିଲାର ନରହରିପୁର ଗ୍ରାମରେ, ପିତା-ଗୋପୀନାଥ ଏବଂ ମା-ଇନ୍ଦୁମତୀ)। ତାଙ୍କ ଆତ୍ମଜୀବନୀ ‘କଣ୍ଟାବାଡ଼ର ଜୀବନ’ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷାପ୍ରେମୀ ତଥା ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଗ୍ରନ୍ଥ। ଏବେ ମଧ୍ୟ ତାଙ୍କ ପରି ଚିରନମସ୍ୟ ଗୁରୁ ମନେ ପଡୁଛନ୍ତି । କାରଣ ତାଙ୍କୁ ନେଇ ରହିଛି ଏକ ଅଭୁଲା କାହାଣୀ। ସେତେବେଳେ (୧୯୬୦ ମସିହା) ମୁଁ ପଢ଼ୁଥାଏ ନବମ ଶ୍ରେଣୀରେ। ସ୍କୁଲକୁ ଲାଗିଥିବା ହଷ୍ଟେଲରେ ଅଳ୍ପ କିଛି ଛାତ୍ରବନ୍ଧୁଙ୍କ ସହିତ ରହୁଥାଏ । ଆମ ରୋଷେୟା ନନା ଥିଲେ ଜଣେ ମଧ୍ୟବୟସ୍କ ଲୋକ। ଦିନେ ସେ ଆମକୁ କହିଥିଲେ,‘ଆମ ସ୍କୁଲ ଘରେ ଜଣେ ବୟସ୍କ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ସେ କଠଉ ପିନ୍ଧୁଥିଲେ। ଏବେ ରାତି ହେଲେ ତାଙ୍କ ଭୂତ(ପ୍ରେତାତ୍ମା) ବାରଣ୍ଡାରେ ଯା’ଆସ କରୁଛି। ଏଣୁ କଠଉର ଠକ୍ ଠକ୍ ଶବ୍ଦ ଶୁଣି ହେଉଛି।’ ସେ ସମୟରେ ସମସ୍ତଙ୍କର ଭୂତପ୍ରେତ ପ୍ରତି ଭାରି ଭୟ ଥିଲା। ଏଣୁ ସେଦିନ ରାତିରେ ଆମେ ନନାଙ୍କ ସହିତ ହଷ୍ଟେଲରେ ବାହାରକୁ ଆସି କାନପାତି ବସିଲୁ ଏବଂ ସେ ଶବ୍ଦ ମଧ୍ୟ ଶୁଣିଲୁ। ତା’ପରଠାରୁ ରାତି ହେଲେ ଆମେ କ୍ୱଚିତ୍ ପଦାକୁ ବାହାରୁଥିଲୁ। ଏହାର କିଛି ମାସ ଆଗରୁ ଶତପଥୀ ସାର୍ ଆମ ସ୍କୁଲରେ ଯୋଗ ଦେଇଥାନ୍ତି ପ୍ରଧାନ ଶିକ୍ଷକ ରୂପେ। ଛାତ୍ରୀଛାତ୍ରଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କକୁ ସେ ଭଲ ପାଉଥିଲେ। ସେଥିପାଇଁ ଆମେ ତାଙ୍କ ସହିତ ସହଜରେ ମିଶି ପାରୁଥିଲୁ। ଥରେ ସ୍କୁଲରେ ଭୂତ ଥିବାରୁ ଆମେ କିପରି ଡରିମରି ଅଛୁ ସେକଥା ତାଙ୍କ କାନକୁ ଗଲା। ସେ ଦିନ ରାତି ପ୍ରାୟ ୧୧ଟା ହେବ। ଆମ ହଷ୍ଟେଲ କବାଟ ଠକ୍ ଠକ୍ ହେଲା। ଭାବିଲୁ ଭୂତ ଆସିଛି। ସେଥିପାଇଁ ଚୁପ୍ ରହିଲୁ। ହେଲେ କିଛି ସମୟ ପରେ ଶତପଥୀ ସାର୍ଙ୍କ ସ୍ବର ଶୁଭିଲା। ଫଳରେ ଆମ ଡର ଭାଙ୍ଗିଲା ଏବଂ ଆମେ କବାଟ ଖୋଲିଲୁ।
ସେ ହାତରେ ଧରିଥିବା ଲଣ୍ଠନଟିକୁ ଉପରକୁ ଟେକି କହିଲେ, ‘ଶୁଣି ପାରୁଛ ତ ଭୂତର କଠଉ ଶବ୍ଦ।’ ଆମେ ସବୁ ହଁ ମାରିଲୁ। ସେ ପୁଣି କହିଲେ-ଚାଲ ଦେଖିବା ଭୂତଟା କେମିତିକା।
ଏକଥା ଶୁଣି ଆମ ପିଳେହି ପାଣି। ତଥାପି ଡରିମରି ତାଙ୍କ ପଛେ ପଛେ ଚାଲିଲୁ। ତା’ପରେ ସେ ସିଧା ଗଲେ ସ୍କୁଲର ଅଫିସ ପାଖକୁ। ଚାବିରେ ଦରଜା ଖୋଲି କହିଲେ- ଏଇ ଦେଖ ସେ ଭୂତଟା କିପରି କାନ୍ଥରେ ଲଟକିଛି।
ଆମେ ଆଶ୍ଚର୍ଯ୍ୟ ହୋଇ ଚାହିଁଲୁ। ଦେଖିଲୁ ପେଣ୍ଡୁଲମ୍ ଲଗା ୱାଲ୍ କ୍ଲକ୍(କାନ୍ଥଘଣ୍ଟା)ଟା ଟିକ୍ ଟିକ୍ ଶବ୍ଦ କରି ଚାଲିଛି। ତା’ ପରେ ସେ ହସିଲେ ଖୁବ୍ ଜୋରରେ ଏବଂ କହିଲେ- ବୁଝିଲ ପିଲାଏ, ‘ଭୂତ ଫୁତ ବୋଲି କିଛି ନାହିଁ।’ ଏହାପରେ ଆମ ଭୂତ ଡର ପୂରା ଛାଡ଼ି ନ ଥିଲେ ବି ତାହା ବେଶ୍ କମିଗଲା। ଆଜିର ଏ ଗୁରୁଦିବସରେ ମୁଁ ତାଙ୍କୁ ମୋର ଶତକୋଟି ପ୍ରଣାମ ଜଣାଉଛି।
-ପ୍ର.ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪-୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ- ୯୯୩୭୯୮୫୭୬୭