Categories: ଖେଳ

ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍‌

ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍‌ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ ମାତ୍ର ୬୧ ବଲରେ ୧୦୯ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ୯ଟି ଛକା ମାରିଥିଲେ। ଏହା ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହାପୂର୍ବରୁ ସେ ଚେକ ରିପବ୍ଲିକ ବିପକ୍ଷ ଡେବ୍ୟୁ ଟି-୨୦ରେ ୫୪ ବଲରୁ ୭୭ ରନ୍‌ ସ୍କୋର କରିଥିଲେ।
ଏହା ସହ ଗୁସ୍ତାଭ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହଜରତୁଲ୍ଲା ଜାଜାଇଙ୍କ ୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ଆଫଗାନିସ୍ତାନ ଓପନର୍‌ ଜାଜାଇ ୨୦ ବର୍ଷ ୩୩୭ ଦିନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ସେହି ମ୍ୟାଚ୍‌ରେ ଜାଜାଇ ମାତ୍ର ୬୨ ବଲରେ ଅପରାଜିତ ୧୬୨ ରନ ସଂଗ୍ରହ କରିଥିଲେ।
ଗୁସ୍ତାଭ ହୁଏତ ତାଙ୍କର ଦ୍ୱିତୀୟ ଟି -୨୦ରେ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ତାଙ୍କର ଏହି ଇନିଂସ ଦଳ ପାଇଁ କାମ କରି ନ ଥିଲା। ସ୍ବିଜରଲ୍ୟାଣ୍ଡ ମ୍ୟାଚକୁ ଏକ ଉଇକେଟରେ ଜିତିଥିଲା।
ଏହି ମ୍ୟାଚ୍‌ରେ ଫ୍ରାନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଓପନର୍‌ ଗୁସ୍ତାଭ ୧୦୯ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ସ୍ବିଜରଲ୍ୟାଣ୍ଡ ଦଳ ପାଇଁ ଅଧିନାୟକ ଫହିମ ନାଜିର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୬ ବଲରେ ୬୭ ରନର ଇନିଂସ ଖେଳି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଟି-୨୦ରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳିଙ୍କ ତାଲିକା

ଗୁସ୍ତାଭ ମ୍ୟାକେନ – ୧୮ ବର୍ଷ ୨୮୦ ଦିନ, ଫ୍ରାନ୍ସ ବନାମ ସୱିଜରଲ୍ୟାଣ୍ଡ, ଭାଣ୍ଟା, ୨୦୨୨
ହଜରତୁଲ୍ଲା ଜାଜାଇ – ୨୦ ବର୍ଷ ୩୩୭ ଦିନ, ଆଫଗାନିସ୍ତାନ ବନାମ ଆୟାର୍ଲାଣ୍ଡ, ଡେରାଡୁନ, ୨୦୧୯
ଶିବକୁମାର ପେରିଆଲଭର୍‌ – ୨୧ ବର୍ଷ ୧୬୧ ଦିନ, ରୋମାନିଆ ବନାମ ତୁର୍କୀ, ଇଲଫୋଭ କାଉଣ୍ଟି, ୨୦୧୯
ଅର୍କିଡ ଟୁଇସେଙ୍ଗେ – ୨୧ ବର୍ଷ ୧୯୦ ଦିନ, ରୁୱାଣ୍ଡା ବନାମ ସେଚେଲସ, କିଗାଲୀ, ୨୦୨୧
ଦିପେନ୍ଦର ସିଂ – ୨୨ ବର୍ଷ ୬୮ ଦିନ, ନେପାଳ ବନାମ ମାଲେସିଆ, କାଠମାଣ୍ଡୁ, ୨୦୨୨

Share