ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍ଖା ଓ ସିଗାରେଟ୍। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଔଷଧ ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏଭଳି ଘଟଣା ଘଟିଛି।
ସପ୍ତାହାନ୍ତ ଶଟ୍ଡାଉନ ପାଇଁ ଶନିବାର ଦୋକାନ ବଜାର ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଚୋରାରେ ଗୁଟ୍ଖା ଓ ସିଗାରେଟ୍ ବିକ୍ରି ହେଉଥିଲା। ଜିଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡିଶିନ ଷ୍ଟୋରରେ ଏହା ବିକ୍ରି ହେଉଥିବା ଖବର ପାଇ ଟାଉନ ପୋଲିସ ଓ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ଚଢ଼ାଉ କରାଯାଇଥିଲା। ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ ଚଢ଼ାଉ କରି ଦୋକାନରୁ ଗୁଟ୍ଖା ଓ ସିଗାରେଟ୍ ଜବତ କରିଥିଲେ। ଔଷଧ ଦୋକାନ ମାଲିକ ଓ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି। ଦୋକାନକୁ ସିଲ୍ କରାଯିବା ସହ ୨୫ ହଜାର ଟଙ୍କା ଜରିମାନା କରାଯାଇଥିବା ଟାଉନ ଥାନା ଆଇଆଇସି ଚନ୍ଦନ ଘଡ଼େଇ ସୂଚନା ଦେଇଛନ୍ତି।