Categories: ଜାତୀୟ

ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ଗ୍ବାଲିଅର,୨୩।୭: ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ଅଜବ ପାରିବାରିକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପାରିବାରିକ ବିବାଦ ମଧ୍ୟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଥିଲେ।
ବଳଦେବ ଅଗ୍ରଓ୍ବାଲ ନାମ ଜଣେ ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ରାଶି ପଠାଇ ନ ଥିଲେ। ଏ ନେଇ ସ୍ତ୍ରୀ କୋର୍ଟରେ ଅଭିଯୋଗ କରିଥିଲେ। ପରିବାର କୋର୍ଟରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ୱାରେଣ୍ଟ କାର୍ଯ୍ୟକାରୀ ହେବା ପାଇଁ ପୋଲିସ ବଳଦେବଙ୍କୁ ଗିରଫ କରି କୋଟୱାଲୀ ପୋଲିସ ଷ୍ଟେସନରେ ରଖିଥିଲା। ପୋଲିସ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲା। ଯଦି ସେ ସ୍ତ୍ରୀଙ୍କ ଭରଣପୋଷଣ ଦିଗରେ ୩୦,୦୦୦ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ମୁକ୍ତ କରାଯାଇପାରିବ। କିନ୍ତୁ ମିଠା ବ୍ୟବସାୟୀ ବଳଦେବ କହିଥିଲେ ଯେ, ଏହି ସମୟରେ ସେ ଟଙ୍କା ଯୋଗାଇବାରେ ଅସମର୍ଥ, ଯଦି ତାଙ୍କୁ ଗୋଟିଏ ଦିନର ସମୟ ମିଳେ ତେବେ ସେ ଟଙ୍କା ବ୍ୟବସ୍ଥା କରିବେ। କିନ୍ତୁ ପୋଲିସ ତାଙ୍କୁ ତୁରନ୍ତ ଟଙ୍କା ଜମା କରିବାକୁ କହିଥିଲା। ସେ କୌଣସି ଉପାୟ ନ ପାଇ ସମ୍ପର୍କୀୟଙ୍କୁ ଟଙ୍କା ଯୋଗାଡ କରିବାକୁ କହିଥିଲେ। ସମ୍ପର୍କୀୟ ଦୁଇ ବସ୍ତା ଖୁଚୁରା ଆଣି ପୋଲିସକୁ ଦେଇଥିଲେ। ପୋଲିସ ଖୁଚୁରା ଗଣି ଗଣି ନୟାନ୍ତ ହୋଇପଡିଥିଲା। ଶେଷରେ ବସ୍ତାରୁ ୨୯ ହଜାର ୬୦୦ଟଙ୍କା ବାହାରିଲା। ବାଲଦେବ ଅଗ୍ରୱାଲ ଅବଶିଷ୍ଟ ଚାରି ଶହ ଟଙ୍କା ନଗଦ ଜମା କରିଥିଲେ।
କେହି ଜଣେ ମୋବାଇଲରେ ଖୁଚୁରା ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭିଡିଓ ଦେଖି ପୋଲିସର ଦାୟିତ୍ୱକୁ କିଛି ଲୋକ ପ୍ରଶଂସା କରୁଛନ୍ତି। ସୂଚନା ଅନୁଯାୟୀ, ପରିବାର କୋର୍ଟରେ ବଳଦେବ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। କୋର୍ଟଙ୍କ ନିର୍ଦ୍ଦେଶରେ ସ୍ବାମୀଙ୍କୁ ପ୍ରତି ମାସରେ ଭରଣପୋଷଣ ଖର୍ଚ୍ଚ ୫ ହଜାର ଟଙ୍କା ଦେବାକୁ ପଡ଼ିବ।

Share