
ନୂଆଦିଲ୍ଲୀ, ୧୯।୨: ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ଜ୍ଞାନେଶଙ୍କ କାର୍ଯ୍ୟକାଳ ସରିବ। ମଙ୍ଗଳବାର ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କାର୍ଯ୍ୟଭାର ସମ୍ଭାଳିଛନ୍ତି।
ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ଏହି ସଂସ୍ଥାର ଗଠନ, ବୈଷୟିକ, ସାମର୍ଥ୍ୟ ବିକାଶ, ଯୋଗଯୋଗ, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟ କରିଥିଲେ।