Categories: ଜାତୀୟ

ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୪: ବାରାଣସୀର ଜ୍ଞାନବାପି ମସ୍‌ଜିଦ ଦକ୍ଷିଣ ପାର୍ଶ୍ୱ ସେଲାରରେ ହିନ୍ଦୁମାନେ ଚଳାଇଥିବା ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ମସ୍‌ଜିଦ ପରିଚାଳନା କମିଟିର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟିଙ୍କୁ ଜବାବ ମାଗିଛନ୍ତି। ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନଙ୍କ ନମାଜପାଠକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ, ଏହି ସତ୍ୟକୁ ମନେ ରଖିବାକୁ ହେବ ଯେ, ଜାନୁଆରୀ ୧୭ ଏବଂ ୩୧ ତାରିଖର ରାୟ ପରେ ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନ ସମ୍ପ୍ରଦାୟର ନମାଜ ପାଠ ଅବାଧ ହୋଇଥିଲା। ହିନ୍ଦୁ ପୂଜକଙ୍କ ଦ୍ୱାରା ତେହଖାନା ଅଞ୍ଚଳ ମଧ୍ୟରେ ସୀମିତ ରହିବ। ତେଣୁ ଉଭୟ ସମ୍ପ୍ରଦାୟ ଯେପରି ଉପରୋକ୍ତ ନିୟମ ଅନୁଯାୟୀ ପୂଜାପାଠ କରିପାରିବେ, ସେଥିପାଇଁ ସ୍ଥିତାବସ୍ଥା ଜାରି ରଖିବାକୁ ହେବ ବୋଲି ଖଣ୍ଡପୀଠ କହିଥିଲେ। ମସ୍‌ଜିଦ କମିଟି ପକ୍ଷରୁ ହୋଇଥିବା ଆବେଦନ ଉପରେ ଏପ୍ରିଲ ୩୦ ସୁଦ୍ଧା ଜବାବ ରଖିବାକୁ ପୂଜକ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସଙ୍କୁ ଖଣ୍ଡପୀଠ ସମନ ଜାରି କରିଛନ୍ତି।

Share