Categories: ଜାତୀୟ

ଜ୍ଞାନବାପି ମସ୍‌ଜିଦ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ

ବାରାଣସୀ,୧୫।୧୦(ପି.ଟି.): ଜ୍ଞାନବାପି ମସ୍‌ଜିଦ ପରିସରରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବା ଲାଗି ଆବେଦନକୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ମସ୍‌ଜିଦ ପରିସରରେ କେବେଠାରୁ ଶିବଲିଙ୍ଗ ସ୍ଥାପିତ ହୋଇଥିଲା ତାହା ଜାଣିବା ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯିବା ସହ କାର୍ବନ ଡେଟିଂ ପାଇଁ ହିନ୍ଦୁ ପକ୍ଷ ଆବେଦନ କରିଥିଲେ। ଏହାକୁ ନିରାପଦର ସହ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ଦର୍ଶାଇ ଜିଲା ଜଜ୍‌ ଏ.କେ. ବିଶ୍ୱେସ ଉକ୍ତ ପିଟିଶନକୁ ଖାରଜ କରିଦେଇଥିବା ସରକାରୀ ଓକିଲ ରାଣା ସଞ୍ଜୀବ ସିଂ କହିଛନ୍ତି। ଗତ ମଙ୍ଗଳବାର ଅଦାଲତ ହିନ୍ଦୁ ପକ୍ଷ ଏବଂ ମସ୍‌ଜିଦ କମିଟିର ଆବେଦନ ଶୁଣାଣି କରିବା ପରେ ଶୁକ୍ରବାର ରାୟ ଘୋଷଣା କରାଯିବ ବୋଲି କହିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ ଏବଂ ଜନସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କାର୍ବନ ଡେଟିଂକୁ ଅନୁମତି ଦିଆଯାଇପାରୁନାହିଁ । ଓ୍ବାଜୁଖାନାକୁ ସିଲ୍‌ କରି ରଖାଯିବ ବୋଲି ଅଦାଲତ କହିଥିବା ହିନ୍ଦୁ ପକ୍ଷର ଓକିଲ ଶିବମ୍‌ ଗୌର ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ମସ୍‌ଜିଦ ପରିସରର ଭିଡିଓଗ୍ରାଫି ସର୍ଭେ ବେଳେ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ତେବେ ତାହା ଶିବଲିଙ୍ଗ ନୁହେଁ, ଓ୍ବାଜୁଖାନାର ଏକ ଅଂଶବିଶେଷ ବୋଲି ମସ୍‌ଜିଦ ପରିଚାଳନା କମିଟି ଦାବି କରୁଛି। ୫ ହିନ୍ଦୁ ପକ୍ଷଙ୍କ ମଧ୍ୟରୁ ୪ ଜଣ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନ କରିଥିଲେ। ଅନ୍ୟପକ୍ଷରେ କାର୍ବନ ଡେଟିଂ କରାଯାଇପାରିବ ନାହିଁ ବୋଲି ମୁସଲମାନ ପକ୍ଷର ଓକିଲ ମମତାଜ ଅହମଦ ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ। କାରଣ କାର୍ବନ ଡେଟିଂ ନାମରେ ଯଦି ତଥାକଥିତ ଶିବଲିଙ୍ଗ ଭାଙ୍ଗିଯାଏ, ତେବେ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଅବମାନନା ହେବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଉକ୍ତ ବସ୍ତୁକୁ ସୁରକ୍ଷିତ ରଖିବା ଲାଗି ସୁପ୍ରିମକୋର୍ଟ ବାରାଣସୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ଯାଞ୍ଚ କରାଯିବା ଯଥାର୍ଥ ହୋଇ ନ ପାରେ ବୋଲି ମୁସଲମାନ ପକ୍ଷର ଓକିଲ କହିଥିଲେ। ଜ୍ଞାନବାପି ମସ୍‌ଜିଦ ବାହାର କାନ୍ଥରେ ଥିବା ଶ୍ରୀଙ୍ଗାର ଗୌରୀଙ୍କ ଉପାସନା ଲାଗି ଅନୁମତି ଆବେଦନ ହେଉଛି ମୂଳ ମାମଲା। ଏହାର ଶିବଲିଙ୍ଗ ଢାଞ୍ଚା ସହ କୌଣସି ସମ୍ପର୍କ ନ ଥିବା ମୁସଲମାନ ପକ୍ଷ କହିଥିଲେ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସ୍‌ଜିଦକୁ ନେଇ ଦୀର୍ଘଦିନରୁ ମାମଲା ବାରାଣସୀ କୋର୍ଟଙ୍କ ବିଚାରାଧୀନ ରହିଛି। ମୋଗଲ ସମ୍ରାଟ ଆଉରଙ୍ଗଜେବ୍‌ଙ୍କ ନିର୍ଦ୍ଦେଶରେ ମନ୍ଦିରର କିଛି ଅଂଶ ଭଙ୍ଗାଯାଇ ସେଠାରେ ମସ୍‌ଜିଦ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଛି।

Share