Categories: ଜାତୀୟ

ଜ୍ଞାନବାପି ମାମଲାର ଶୁଣାଣି ଶେଷ: ମଙ୍ଗଳବାର ଆସିବ ନିଷ୍ପତ୍ତି

ବାରାଣସୀ,୨୩।୫: ଜ୍ଞାନବାପି ମାମଲାର ଶୁଣାଣି ସୋମବାର ବାରାଣସୀ ଜିଲା ଜଜ କୋର୍ଟରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିପାରେ ବୋଲି ସୂଚନା ମିଳିଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲିର ନିଷ୍ପତ୍ତି ପରେ କୋର୍ଟଙ୍କ ପରବର୍ତ୍ତୀ ପଦକ୍ଷେପ ଜଣାପଡିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସମସ୍ତଙ୍କ ନଜର ଜିଲା କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି। ଆଠ ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜ୍ଞାନବାପି ପରିସରରେ ମା’ ଶ୍ରୁଙ୍ଗାର ଗୌରୀ ଦୈନିକ ପୂଜାର୍ଚ୍ଚନାକୁ ଅନୁମତି ଦେବା ଏବଂ ଅନ୍ୟ ଦେବତା ତଥା ଦେବୀଙ୍କୁ ସଂରକ୍ଷଣ କରିବା ପାଇଁ ଦାଖଲ ହୋଇଥିବା ଏହି ମାମଲାର ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ପରିସରରେ ଏବଂ ଏହାର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଶୁଣାଣି ସମୟରେ ଉଭୟ ପକ୍ଷର ୧୯ ଜଣ ଓକିଲ ଏବଂ ଚାରିଜଣ ଆବେଦନକାରୀ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଯେଉଁମାନଙ୍କ ନାମ ତାଲିକାଭୁକ୍ତ ହୋଇଥିଲା ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା।

Share