Categories: ଜାତୀୟ

ଜ୍ଞାନବାପି ମସ୍‌ଜିଦ ପରିସରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌: ସର୍ଭେ କାର୍ଯ୍ୟ ଆରମ୍ଭ

ପ୍ରୟାଗରାଜ,୪ା୮:ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାରଏହି ସର୍ଭେ ପାଇଁ ଏଏସ୍‌ଆଇ ଟିମ୍‌ ଜ୍ଞାନବାପି କ୍ୟାମ୍ପସରେ ପହଞ୍ଚିଛି। ଟିମ୍‌ର ୫୧ ଜଣ ସଦସ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ ମୁସଲିମ ପକ୍ଷ ବ୍ୟତୀତ ସମସ୍ତ ସମ୍ପୃକ୍ତ ଦଳ ଉପସ୍ଥିତ ଅଛନ୍ତି। ୩୦୦ ମିଟର ଭିତରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ସପ୍ତଦଶ ଶତାବ୍ଦୀର ଜ୍ଞାନବାପି ମସ୍‌ଜିଦ ମନ୍ଦିର ଢାଞ୍ଚା ଉପରେ ନିର୍ମାଣ ହୋଇଛି କି ନାହିଁ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ବାରାଣସୀ ଜିଲା କୋର୍ଟ ପୂର୍ବରୁ ରାୟ ଦେଇଥିବାବେଳେ ମୁସଲମାନ ପକ୍ଷ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମସ୍‌ଜିଦ କମିଟିର ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜିଲା କୋର୍ଟଙ୍କ ରାୟ ଠିକ୍‌। ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ ବୋଲି ହାଇକୋର୍ଟ କହିଥିଲେ। ସର୍ଭେ ବେଳେ ମସ୍‌ଜିଦ ପରିସର ଖୋଳାଖୋଳି ନ କରିବାକୁ କୋର୍ଟ କହିଥିଲେ। ହାଇକୋର୍ଟ ସର୍ଭେକୁ ଅନୁମତି ପ୍ରଦାନ କରିବାର କିଛି ଘଣ୍ଟା ପରେ ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆଇନଜୀବୀ ନିଜାମ ପାଶା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନିକଟରେ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବା ସହ ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ହିନ୍ଦୁ ପକ୍ଷଙ୍କୁ ଶୁଣାଣି ପାଇଁ ସୁଯୋଗ ନ ଦେଇ କୌଣସି ରାୟ ପ୍ରଦାନ ନ କରିବାକୁ ଏହାର ଏକ ପକ୍ଷ ସୁପ୍ରିମକୋର୍ଟରେ କ୍ୟାଭିଟ୍‌ ଦାଖଲ କରିଛି।

Share