Categories: ଜାତୀୟ

ଜ୍ଞାନବାପି ମାମଲା: ମେ ୩୦ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୬।୫: ଜ୍ଞାନବାପି ବିବାଦର ଶୁଣାଣି ଗୁରୁବାର ବାରାଣସୀ ଜିଲା କୋର୍ଟରେ କରାଯାଇଛି। ଆଜି ମୁସଲମାନ ପକ୍ଷରୁ ବିତର୍କ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୯୯୧ ଅଧିନିୟମକୁ ସେମାନେ ସୂଚିତ କରିଥିଲେ। ତେବେ ମୁସଲମାନ ପକ୍ଷ ଗୁରୁବାର ନିଜର ଯୁକ୍ତି ସମାପ୍ତ କରିପାରି ନାହିଁ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ମେ ୩୦) ଅପରାହ୍ନ ୨ଟାରୁ ଆରମ୍ଭ ହେବ।
ମୁସଲମାନ ପକ୍ଷ ଆଜି ହିନ୍ଦୁ ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ମୁସଲମାନ ପକ୍ଷ ଉଦ୍‌ବେଗ ପ୍ରକାଶ କରି କହିଛି ଯେ, ଶିବଲିଙ୍ଗ ଅସ୍ତିତ୍ୱ କେବଳ ଅଭିଯୋଗ ହୋଇଛି, ଏହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଗୁଜବ ଯୋଗୁ ସର୍ବସାଧାରଣରେ ଅଶାନ୍ତି ଦେଖାଦେଇଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନଙ୍କ ଅନୁଯାୟୀ ଆଜି ମୁସଲମାନ ଦଳ ବିତର୍କ ଆରମ୍ଭ କରିଛନ୍ତି, ସେମାନଙ୍କର ଶୁଣାଣି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୋମବାର ପୁଣିଥରେ ବିତର୍କ ହେବ। ଆମେ ଆମର ପକ୍ଷ ଉପସ୍ଥାପନ କରିବୁ।

Share