Categories: ଜାତୀୟ

ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ବୈଜ୍ଞାନିକ ପରୀକ୍ଷଣ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏବେ ମୁଖ୍ୟ ମାମଲା ସହ ପରବର୍ତ୍ତି ଶୁଣାଣି ହେବ। ଆଲ୍ଲାହାବାଦ ହାଇକୋର୍ଟଙ୍କ ବୈଜ୍ଞାନିକ ଯାଞ୍ଚ ନିର୍ଦ୍ଦେଶ ପରେ ମସଜିଦ କମିଟି ରୋକ ଲଗାଇବାକୁ ଦାବି କରିଥିଲେ। ଉତ୍ତର ପ୍ରଦେଶ ସରକାର ବି ମାମଲାକୁ ଗମ୍ଭିରତାର ସହ ଦେଖିବାକୁ କହିଥିଲେ।

ଏହି ଶୁଣାଣି ସମୟରେ ମସଜିଦ କମିଟିର ପ୍ରତିନିଧିତ୍ୱ କରୁଥିବା ଓକିଲ ହୁଜାଇଫା ଅହମ୍ମଦ କହିଛନ୍ତି ଯେ ସୋମବାରଠାରୁ ବୈଜ୍ଞାନିକ ପରୀକ୍ଷା ଆରମ୍ଭ ହେବ। ଏପରି ପରିସ୍ଥିତିରେ ଏହାକୁ ବନ୍ଦ କରିବା ଆବଶ୍ୟକ। ଏହି ମାମଲାରେ ନାଗରିକ ମକଦ୍ଦମା ସହ ଜଡିତ ନିୟମ ପାଳନ କରାଯାଉ ନାହିଁ। ଏଥି ସହ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ ଏହି ସ୍ଥାନର କୌଣସି କ୍ଷତି ହେବ ନାହିଁ ବୋଲି ଏଏସଆଇ ଆମକୁ ଏକ ରିପୋର୍ଟ ଦେଇଛି।

ଏହା ଉପରେ ସିଜଓ୍ବୋଇ ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଆମେ ମଧ୍ୟ ଏଏସଆଇରୁ ରିପୋର୍ଟ ନେଇପାରିବା। କେଉଁ ପଦ୍ଧତି ଗ୍ରହଣ କରାଯାଇପାରିବ ତାହା ମଧ୍ୟ ସରକାର ବିଚାର କରନ୍ତୁ। ଆମେ ପରେ ଶୁଣିବା। ସେ କହିଛନ୍ତି ଯେ ସମସ୍ତ ପକ୍ଷ ଏହାକୁ ଗ୍ରହଣ କରିଥିବାରୁ ଆମେ ଏହି ବିଜ୍ଞପ୍ତି ପ୍ରଦାନ କରୁଛୁ। ବର୍ତ୍ତମାନ ହାଇକୋର୍ଟଙ୍କ ଆଦେଶର ସମୀକ୍ଷା କରାଯିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ।

Share