ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ ପକ୍ଷ ମତ ରଖିଥିଲେ। ଆଠ ସପ୍ତାହ ପରେ ଶୁଣାଣି ପାଇଁ ଦାବି ଉପରେ ମୁସଲମାନ ପକ୍ଷ ଜିଦ ଧରିଥିଲେ। ସେପ୍ଟେମ୍ବର ୨୯କୁ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପୂର୍ବରୁ ଜ୍ଞାନବ୍ୟାପି ମାମଲାରେ ଅଭିଯୋଗକାରୀ ମହିଳାମାନେ ସେମାନଙ୍କ ଓକିଲଙ୍କ ସହ ଜିଲା ଜଜ କୋର୍ଟରେ ପହଞ୍ଚିଥିଲେ। ଗତ ସେପ୍ଟେମ୍ବର ୧୨ରେ ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି କହିଥିଲେ।
ସୂଚନାଯୋଗ୍ୟ, ୧୯୯୧ ମସିହା ପୂର୍ବରୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା । ଗତ ବର୍ଷ ମେ’ ମାସରେ ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।