Categories: ଜାତୀୟ

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ ଦାବି କରିଛି। ସୋମବାର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ ହେଉଥିବା ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ସରିଛି। ଆସନ୍ତାକାଲି ଅର୍ଥାତ୍‌ ମେ ୧୭ରେ ରିପୋର୍ଟ କୋର୍ଟରେ ଦାଖଲ କରାଯିବ। ଆଜି ମିଳିଥିବା ଶିବଲିଙ୍ଗକୁ ସଂରକ୍ଷଣ କରିବା ପାଇଁ ଓକିଲ ଦଳ କୋର୍ଟରେ ପହଞ୍ଚିଛନ୍ତି।
ଆବେଦନକାରୀ ଓକିଲ ବିଷ୍ଣୁ ଜୈନଙ୍କ କହିବା ଅନୁଯାୟୀ, ସେଠାରେ ଥିବା ଏକ କୂଅରେ ଶିବଲିଙ୍ଗ ଠାବ ହୋଇଛି। ଏହାର ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ କୋର୍ଟ ଦ୍ୱାରା ଗଠିତ କମିଶନ ଆଜି ଜ୍ଞାନବାପି ମସଜିଦ ସ୍ଥଳରେ ପହଞ୍ଚି ସର୍ଭେ କରିଛନ୍ତି। ସେପଟେ ମୁସଲମାନ ପକ୍ଷ ଶିବଲିଙ୍ଗ ମିଳିବା ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।
ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦର ଢାଞ୍ଚା ବିଷୟରେ ତଦନ୍ତ କରିବା ଲାଗି ବାରାଣସୀର ଏକ ଅଦାଲତ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’କୁ ନିର୍ଦେଶ ଦେଇଛନ୍ତି।

Share