ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ ବାସଭବନରେ ଶୁକ୍ରବାର ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଗତ ଦେଢବର୍ଷ ଧରି ଅସୁସ୍ଥତା ହେତୁ ସେ ଘରେ ଶଯ୍ୟାଶାୟୀ ଥିଲେ। ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ପରଲୋକ ଖବର ପାଇ ପ୍ରଫେସର ଡାକ୍ତର ହର ପଟ୍ଟନାୟକ, ଡା ପିଏଲ ସାଇ, ଡା ସିନ୍ଧୂ ତ୍ରିପାଠୀ,ଡା ରାଜକୁମାର ସନ୍ତୁକାର, ଡା ଶରତ ମହାପାତ୍ର ପ୍ରମୁଖ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
ଅନ୍ତିମ ଶଯ୍ୟା ନିକଟରେ ପୁଅ ବଲିଉଡ୍ ଫିଲ୍ମ ଡାଇରେକ୍ଟୋର ଦେବଲଏ ଦେ, ଝିଅ ଶିକ୍ଷୟିତ୍ରୀ ବର୍ଣ୍ଣାଳି ସାହୁ, ଜ୍ବାଇଁ କ୍ରୀଡାବିତ୍ ସୋମନାଥ ସାହୁ, ନାତି ଋତୁରାଜ ସାହୁ, ନାତୁଣୀ ବୋହୂ ସୀମା ମଲ୍ଲିକ, ନାତି ଶର୍ମନ ଦେ ପ୍ରମୁଖ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ,୧୯୩୨ ଡିସେମ୍ବର ୧୨ରେ ଡାକ୍ତର ଦେଙ୍କ କଲିକତାରେ ଜନ୍ମ। କଲିକତା ଆର ଜି କର ମେଡିକାଲ କଲେଜରୁ ମେଡିକାଲ ଶିକ୍ଷା ପରେ ସେ ଅଷ୍ଟ୍ରିଆ ର ରାଜଧାନୀ ଭିଏନାରେ ପଢ଼ିବା ପରେ ଭାରତ ଫେରିଥିଲେ। ବୁର୍ଲା, ବ୍ରହ୍ମପୁର ମେଡ଼ିକାଲ କଲେଜରେ ଦାୟିତ୍ଵ ତୁଲାଇଥିଲେ। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ୧୯୯୦ରେ ବିଭାଗୀୟ ମୁଖ୍ୟ ଭାବେ ଅବସର ନେଇଥିଲେ।

Share