ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି। ତେବେ ସ୍ବାସ୍ଥ୍ୟ ଅଧିକାରୀମାନେ ଦୋକାନବଜାରରେ ସହଜରେ ଉପଲବ୍ଧ ହେଉଥିବା ପାଶ୍ଚ୍ୟରାଇଜ୍‌ କ୍ଷୀର, ବ୍ୟବହାର ପାଇଁ ନିରାପଦ ରହିଥାଏ ବୋଲି କହିଛନ୍ତି। କାରଣ ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ଦୂର କରିଥାଏ।
୧୯୯୬ରେ ଏଚ୍‌୫ଏନ୍‌୧ ଚିହ୍ନଟ ହୋଇଥିଲା। ଏହାପରେ ନାଟକୀୟ ଭାବେ ଭାଇରସ୍‌ ବୃଦ୍ଧି ପାଇଥିଲା। ୨୦୨୦ରୁ ବାର୍ଡ ଫ୍ଲୁ ବ୍ୟାପିବା ଦ୍ୱାରା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ବନ୍ୟ ପକ୍ଷୀ ଏବଂ କୁକୁଡ଼ା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଏହି ଭାଇରସ୍‌ ମଣିଷ, ବିଲେଇ, ଭାଲୁ, ଠେକୁଆ,ମିଙ୍କ, ଏପରିକି ପେଙ୍ଗୁଇନ୍‌ ସମେତ ବିଭିନ୍ନ ସ୍ତନ୍ୟପ୍ରାଣୀ ପ୍ରାଣୀଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛି।
ଗତ ମାସରେ ଗାଈ ଏବଂ ଛେଳି ପ୍ରଭାବିତ ପଶୁମାନଙ୍କ ତାଲିକାରେ ଯୋଡ଼ି ହୋଇଥିଲେ, ଯାହାକି ବିଶେଷଜ୍ଞଙ୍କୁ ଚମକାଇଥିଲା। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ୬ ରାଜ୍ୟର ୧୩ ଗୋରୁ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଟେକ୍ସାସ, କାନମାସ, ମିଚିଗାନ୍‌, ନ୍ୟୁ ମେକ୍ସିକୋ, ଆଇଡାହୋ, ଓହିଓ, ଉତ୍ତର କାରାଲିନା ଏବଂ ଦକ୍ଷିଣ ଡାକାଟୋରୁ ଅସୁସ୍ଥ ଗାଈଙ୍କ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଫାର୍ମଗୁଡ଼ିକରେ ମୃତ ପକ୍ଷୀ ଦେଖିବାକୁ ମିଳିଥିଲା। ଲାବୋରେଟୋରୀ ପରୀକ୍ଷଣରୁ କେତେକ ଗାଈ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ଡବ୍ଲୁଏଚ୍‌ଓର ଗ୍ଲୋବାଲ୍‌ ଇନ୍‌ଫ୍ଲୁଏନ୍ଜା ପ୍ରୋଗ୍ରାମ ମୁଖ୍ୟ ଡା. ଓ୍ବେଙ୍କିଙ୍ଗ ଝାଙ୍ଗ କହିଛନ୍ତି ଯେ, ଟେକ୍ସାସ୍‌ରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ଗାଈଠାରୁ ସଂକ୍ରମିତ ହୋଇଛନ୍ତି। ପକ୍ଷୀରୁ ଗାଈ, ଗାଈରୁ ଗାଈ ଏବଂ ଗାଈରୁ ପକ୍ଷୀ ସଂକ୍ରମଣ ପଞ୍ଜିକୃତ ହୋଇଛି। ଏବେ ଆମେରିକାରେ ସଂକ୍ରମିତ ଗାଈଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକ ମାତ୍ରାରେ ଜୀବାଣୁ ଗାଈର କ୍ଷୀରରୁ ମିଳିବା ପରେ ବିଶେଷଜ୍ୟମାନେ ଅନୁସନ୍ଧାନ ଆରମ୍ଭ କରିଛନ୍ତି। କ୍ଷୀରରେ ଏହି ଜୀବାଣୁ କେତେ ଦିନ ବଞ୍ଚିପାରିବ ତାହା ଜଣାପଡ଼ିବ ବୋଲି ଡା ଝାଙ୍ଗ କହିଛନ୍ତି।  ତେବେ ନିରାପତ୍ତା ଲାଗି ପାଶ୍ଚରାଇଜ୍‌ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ବାର୍ଡ ଫ୍ଲୁର ଲକ୍ଷଣ:
ପ୍ରବଳ ଜ୍ୱର
ମାଂସପେଶୀ ଘୋଳାବିନ୍ଧା
ମୁଣ୍ଡ ବିନ୍ଧା
କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା
ଅସୁସ୍ଥତା
ପେଟରେ ଯନ୍ତ୍ରଣା
ଛାତିରେ ଯନ୍ତ୍ରଣା
ନାକ ଏବଂ ମାଢ଼ିରୁ ରକ୍ତସ୍ରାବ
Share