ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକମାନେ ରାଜପଥ ଅବରୋଧ କରି ଟାୟାର ଜାଳି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ ଜାରି ରଖିଛନ୍ତି। ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହା ଅନ୍ନ ସ୍ଥିତି ଭୋକ ମୃତ୍ୟୁ ଆଶଙ୍କାକୁ ବଢ଼ାଇ ଦେଇଛି।

ଅଟା ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଯୋଗୁ ପାକିସ୍ତାନ ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ନାଗରିକମାନଙ୍କୁ ସବସିଡିଯୁକ୍ତ ଗହମ ଯୋଗାଉଥିବା ସରକାରୀ ଡିପୋରେ ଏବେ ତାଲା ପକାଇ ଦିଆଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀରର ଗିଲ୍ଗିଟ-ବଲ୍ଟିସ୍ତାନ ଅଞ୍ଚଳର ସ୍ଥାନୀୟ ଲୋକ କହିଛନ୍ତି ଯେ ସରକାରଙ୍କ ନୀତି ବିଫଳତା ଯୋଗୁ ସେମାନେ ରୋଜଗାର କରିବାରେ ଅସମର୍ଥ। ସରକାରଙ୍କ ଅଦୂରଦର୍ଶୀ କାର୍ଯ୍ୟକଳାପ ଯୋଗୁ ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଗହମର ମୂଲ୍ୟ ଗୋଟିଏ ଦିନରେ ସରକାର ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

ସ୍ଥାନୀୟ ଲୋକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନଙ୍କର ସମସ୍ୟାର ତୁରନ୍ତ ସମାଧାନ ନହୁଏ ତେବେ ସେମାନେ ପ୍ରଶାସନକୁ କାର୍ଯ୍ୟ କରିବାକୁ ଦେବେ ନାହିଁ। ଗୋଟିଏ ଦିନରେ ୨୨ ଘଣ୍ଟା ବିଦ୍ୟୁତ କାଟ ବିରୋଧରେ ଲୋକେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share