କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍‌’ର ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର,୨୮।୫(ଅନୁରାଧା ମହାରଣା):ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ କରିବା ସହ ହାବାସପୁରୀ ହସ୍ତତନ୍ତ ଉପରେ ପ୍ରସ୍ତୁତ ଫିଚର ଡକ୍ୟୁମେଣ୍ଟାରିର ପୋଷ୍ଟର ଉନ୍ମୋଚନ କରିଛନ୍ତି। ସେ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଥମଥର ଆସିଛନ୍ତି। ତେବେ ଆଗକୁ ରିଲିଜ୍‌ ହେବାକୁ ଥିବା ଏହି ଦ୍ୱିଭାଷୀ ଫିଚର ଡକ୍ୟୁମେଣ୍ଟାରିର ନଁା ରହିଛି ‘ହାବାସପୁରୀ ୱେଭିଙ୍ଗ୍‌: ଦ ସେକେଣ୍ଡ ଏଣ୍ଡ୍‌ ଲାଷ୍ଟ ଡେଥ୍‌’।
ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲାର ଏକ ଅନନ୍ୟ, ପୁରାତନ, ପ୍ରଶଂସିତ, କିନ୍ତୁ ପ୍ରାୟ ବିଲୁପ୍ତ ହୋଇଯାଇଥିବା ହାବାସପୁରୀ ହସ୍ତତନ୍ତ ପରମ୍ପରାର କାହାଣୀ ରହିଛି। ପୂର୍ବରୁ ତାଙ୍କର ହସ୍ତତନ୍ତ ଡକ୍ୟୁମେଣ୍ଟାରି ‘କୋଟପାଡ ୱେଭିଙ୍ଗ୍‌: ଡ ଷ୍ଟୋରି ଅଫ୍‌ ଏ ରେସ୍‌ ଏଗ୍‌ନେଷ୍ଟ ଟାଇମ୍‌’ର ପଦାଙ୍କ ଅନୁସରଣ କରି ନୂଆ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଉଛି। ଏନ୍‌ଏଫଡିସି ଫିଲ୍ମ ବଜାର (ଗୋଆ)ର ଗତବର୍ଷର ସଂସ୍କରଣରେ ଏହି ପ୍ରକଳ୍ପକୁ ସ୍ବୀକୃତି ମିଳିଛି।
ବର୍ତ୍ତମାନ ଏନ୍‌ଏଫ୍‌ଡିସି ଫିଲ୍ମ ବଜାର ଡକ୍ୟୁମେଣ୍ଟାରି କୋ-ପ୍ରଡକ୍ସନ ମାର୍କେଟ ୨୦୨୩ ଏହାକୁ ସମର୍ଥନ କରୁଛି। ବିଶ୍ୱନାଥଙ୍କ ବିଏନ୍‌ଆର୍‌ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଡକ୍ୟୁମେଣ୍ଟାରିର ନିର୍ଦ୍ଦେଶନା ଦେଇଛନ୍ତି ମୟୂର ମହାପାତ୍ର। ବିଶ୍ବନାଥ ରଥ, ଟେକ୍ସଟାଇଲ ଡିଜାଇନର ଅନୁପ୍ରିୟା ମ୍ରିଦ୍ଧା, ଆମେରିକାର ବୟନ ଶିଳ୍ପପ୍ରେମୀ କୋରିନ ଫ୍ଲାହର୍ଟି, ମୟୂର ମହାପାତ୍ର, ସିଦ୍ଧାନ୍ତ ସ୍ବରୂପ ଓ ଦେବାଶିଷ ପ୍ରତିହାରୀଙ୍କ ଗବେଷଣାତ୍ମକ ତଥ୍ୟକୁ ନେଇ ଡକ୍ୟୁମେଣ୍ଟାରିଟି ପ୍ରସ୍ତୁତ ହେଉଛି। ଏନେଇ ବିଶ୍ୱନାଥ କହିଛନ୍ତି, ଯଦିଓ ପୂର୍ବରୁ ସମ୍ବଲପୁରୀ ହସ୍ତତନ୍ତ ପ୍ରଦର୍ଶିତ ହୋଇଛି, ପ୍ରଥମଥର ପାଇଁ ଏହି ସମ୍ମାନଜନକ ତଥା ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କୋଟପାଡ଼ ହସ୍ତତନ୍ତ ବିଶ୍ବବ୍ୟାପୀ ପ୍ରଦର୍ଶିତ ହୋଇଥିଲା। ତେବେ ଡକ୍ୟୁମେଣ୍ଟାରି ‘ହାବାସପୁରୀ ୱେଭିଙ୍ଗ୍‌’ ପୋଷ୍ଟର ଉନ୍ମୋଚନ ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ସେ କହିଛନ୍ତି।

Share