ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ ଓଭରରେ ୧୫ ରନ୍ ଦରକାର ଥିବା ବେଳେ ତାଙ୍କ ସହ କ୍ରିଜରେ ଉପସ୍ଥିତ ଥିଲେ ଗ୍ଲେନ ମ୍ୟାକ୍ସଓ୍ବେଲ। ଅନ୍ତିମ ଓଭର ପୂର୍ବରୁ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ବୋଲି ମ୍ୟାଚ୍ ପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା।
”ଅନ୍ତିମ ଓଭର ଆମକୁ କେଉଁ ଅଞ୍ଚଳରେ ରନ୍ ମିଳିପାରିବ, ତାହା କଥା ହୋଇଥିଲୁ। ସେ କହିଥିଲେ ବଲ ଦେଖି ମାର। ଅନ୍ତିମ ୩ ବଲ ଥିବାବେଳେ ମ୍ୟାକ୍ସଙ୍କୁ ଷ୍ଟ୍ରାଇକ୍ ଦରକାର କି ବୋଲି ପଚାରିଥିଲି। ମାତ୍ର ସେ ମନା କରିବା ସହ କହିଥିଲେ ତୁମେ ମ୍ୟାଚ୍ ଶେଷ କରିପାରିବ। ଏହା ମୋତେ ଆତ୍ମବିଶ୍ୱାସ ଦେଇଥିଲା“ ବୋଲି ଭରତ କହିଛନ୍ତି।
୫୨ ବଲର ସମ୍ମୁଖୀନ ହୋଇ ଭରତ ଖେଳିଥିଲେ ୭୮ ରନ୍ର ଅପରାଜିତ ପାଳି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ। ଆରସିବି ପାଇଁ ନିୟମିତ ୩ୟ କ୍ରମରେ ବ୍ୟାଟିଂ କରୁଥିବା ଭରତ ପୂର୍ବରୁ ରାଜସ୍ଥାନ ବିପକ୍ଷରେ ୪୪ ଓ ମୁମ୍ବାଇ ବିପକ୍ଷରେ ୩୨ ରନ୍ କରିଥିଲେ।