Categories: ଫୁରସତ

ନିଜର ବ୍ରେନ୍‌ ସର୍ଜରି କଲେ

ମସ୍କୋ: ଜଣେ ବ୍ୟକ୍ତି ନିକଟରେ ତାଙ୍କ ଶୋଇବା ଘରେ ମୁଣ୍ଡର ସର୍ଜରି କରିଛନ୍ତି। ସେ ନିଜ ସ୍ବପ୍ନକୁ ଆୟତ୍ତ କରିବା ପାଇଁ ମୁଣ୍ଡରେ ଏକ ଇଲେକ୍ଟୋ୍ରଡ୍‌ ଚିପ୍‌ ଭର୍ତ୍ତି କରିଛନ୍ତି। ରୁଷିଆର ନୋଭେସିଭିର୍କସ୍‌ର ଜଣେ ଲେଖକ ତଥା ରିସର୍ଚ୍ଚର ୪୦ ବର୍ଷୀୟ ମିଚେଲ ରଡୁଗା ଏ ନେଇ ଗତ ୧୭ ତାରିଖରେ ଟୁଇଟରରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଜଣେ ରିସର୍ଚ୍ଚର ହୋଇଥିବାବେଳେ ତାଙ୍କ ପାଖରେ ନ୍ୟୁରୋସର୍ଜରି ଅଭିଜ୍ଞତା ନାହିଁ। ୟୁଟ୍ୟୁବ୍‌ ଜରିଆରେ ଭିଡିଓ ଦେଖି ସେ ୪ ଘଣ୍ଟାରେ ତାଙ୍କ ମୁଣ୍ଡର ସର୍ଜରି କରିଥିଲେ। ଏହା ମଧ୍ୟରେ ତାଙ୍କର ୧ ଲିଟର ରକ୍ତ ନଷ୍ଟ ହୋଇଯାଇଛି। ସେ ତାଙ୍କ ଲ୍ୟୁସିଡ୍‌ ଡ୍ରିମ୍‌(ମନମୁତାବକ ସ୍ବପ୍ନ)କୁ ଆୟତ୍ତ କରିବାକୁ ଚାହୁଁଥିଲେ। ରିପୋର୍ଟ ମୁତାବକ, ମିଚେଲ ପେସାରେ ଜଣେ ଡାକ୍ତର ନୁହନ୍ତି। ତାଙ୍କର ଫେଜ୍‌ ରିସର୍ଚ୍ଚ ସେଣ୍ଟର ନାମକ ଏକ ପ୍ରତିଷ୍ଠାନ ରହିଛି। ଯଦି କାହାକୁ ସ୍ଲିପ୍‌ ପାରାଲିସିସ୍‌ ହୋଇଥାଏ, ତେବେ ସେ ତାକୁ ଶରୀର ଉପରେ ଅନୁଭବ କରି ଏହା ଉପରେ ମାର୍ଗଦର୍ଶନ ଦେଇପାରନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନ୍ୟୁରୋସର୍ଜନ ଏଲେକ୍ସ ଗ୍ରୀନ୍‌ ମିଚେଲଙ୍କ ଏପରି କାର୍ଯ୍ୟରେ କହିଛନ୍ତି, ଏହି କାର୍ଯ୍ୟ ବହୁତ ବିପଦପୂର୍ଣ୍ଣ । ଏହା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ। ସେ କହିଛନ୍ତି, ଯଦି ଇଣ୍ଟ୍ରାସେଲେବ୍ରାଲ ଭେସେଲ୍‌ ଫାଟିଯାଏ, ତେବେ ବ୍ୟକ୍ତିଙ୍କ ଷ୍ଟ୍ରୋକ୍‌ କିମ୍ବା ମୃତ୍ୟୁ ହୋଇପାରେ। ମିଚେଲ ମଧ୍ୟ ଏଲେକ୍ସଙ୍କ କଥାରେ ସହମତି ଦେଖାଇଛନ୍ତି। ସେ କହିଛନ୍ତି, ସର୍ଜରିର ୩୦ ମିନିଟ୍‌ ପରେ ସେ ହାର୍‌ ମାନି ଯାଇଥିଲେ। କାରଣ ତାଙ୍କର ପାଖାପାଖି ୧ ଲିଟର ରକ୍ତ ବୋହିଯାଇଥିଲା ଏବଂ ତାଙ୍କୁ ଡର ଥିଲା କି ସେ ସଂଜ୍ଞାହୀନ ହୋଇ ନ ଯାନ୍ତୁ। ହେଲେ ସେ ସର୍ଜରି କରିବାରେ ସଫଳ ହୋଇଥିଲେ। ଏହା ପରେ ସେ ଗାଧୋଇବା ସହ ୧୦ ଘଣ୍ଟା ପର୍ଯ୍ୟନ୍ତ କାମ ମଧ୍ୟ କରିଥିବା କହିଛନ୍ତି।

Share