ମୁମ୍ବାଇ,୧୧।୪: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବଡ଼ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଠକାମି କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଗିରଫ କରିଛି। ଅଭିଯୁକ୍ତ ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ। ଏହି ମାମଲା ୨୦୨୧ରେ ହୋଇଥିଲା। ଅଭିଯୁକ୍ତ ବୈଭବ ପାଣ୍ଡ୍ୟା ବ୍ରଦର୍ସଙ୍କ ସହ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ।
ଏହି କମ୍ପାନୀରେ ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ଅଂଶ ୪୦-୪୦ ପ୍ରତିଶତ, ବୈଭବଙ୍କର ୨୦ ପ୍ରତିଶତ ଅଂଶଧନ ଥିଲା। ସହଭାଗୀତାର ସର୍ତ୍ତ ଅନୁଯାୟୀ, କମ୍ପାନୀରୁ ଲାଭ ତିନିଜଣଙ୍କ ମଧ୍ୟରେ ବାଣ୍ଟିବାକୁ ପଡିବ। ପାଣ୍ଡ୍ୟା ବ୍ରଦର୍ସଙ୍କୁ କମ୍ପାନୀର ଲାଭ ଟଙ୍କା ଦେବା ପରିବର୍ତ୍ତେ ଅଭିଯୁକ୍ତ ବୈଭବ ଏକ ଅଲଗା କମ୍ପାନୀ ଗଠନ କରି ଲାଭ ପରିମାଣକୁ ତାହା ହସ୍ତାନ୍ତର କରିଥିଲେ।
ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସ ପ୍ରାୟ ୪.୩ କୋଟି ଟଙ୍କା କ୍ଷତି ସହିଥିଲେ। ହାର୍ଦ୍ଦିକଙ୍କ ଅଭିଯୋଗ ଆଧାରରେ ଇଓ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି। ଅଭିଯୁକ୍ତ ବୈଭବଙ୍କୁ ୫ ଦିନ ପୋଲିସ ହେପାଜତକୁ ପଠାଯାଇଛି।