ହାଫିଜ୍‌ ସୟିଦଙ୍କୁ ୩୨ ବର୍ଷ ଜେଲ

ଲାହୋର,୯ା୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଘୋଷିତ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଦୁଇଟି ଟେରର୍‌ ଫଣ୍ଡିଂ ମାମଲାରେ ୩୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି। ଏହି ୭୦ ବର୍ଷୀୟ କଠୋରପନ୍ଥୀ ପୂର୍ବରୁ ଏଭଳି ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୩୬ ବର୍ଷ ଜେଲ ଦଣ୍ଡାଦେଶ ପାଇସାରିଛନ୍ତି।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ପଞ୍ଜାବର କାଉଣ୍ଟର ଟେରରିଜମ୍‌ ଡିପାର୍ଟମେଣ୍ଟ ପୋଲିସ ହାଫିଜ୍‌ ସୟିଦଙ୍କ ବିରୋଧରେ ନଂ ୨୧/୨୦୧୯ ଓ ୯୦/୨୦୧୯ରେ ମାମଲା ରୁଜୁ କରିଥିଲା। ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ବିଚାରପତି ଏଜାଜ୍‌ ଅହମ୍ମଦ ଭୁଟ୍ଟାର ଏହାର ଶୁଣାଣି ଶେଷ କରି ଶୁକ୍ରବାର ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସୟିଦ୍‌ଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ୨୦୧୯ରୁ ସୟିଦଙ୍କୁ କୋଟ୍‌ ଲଖପତ୍‌ ଜେଲରେ ରଖାଯାଇଥିଲା। ରାୟ ଶୁଣାଣି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ତାଙ୍କୁ ସେଠାରୁ ଲାହୋରସ୍ଥିତ ଏଟିସିକୁ ନିଆଯାଇଥିଲା। ପ୍ରକାଶ ଯେ, ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କଇ-ଇ-ତୋଇବା (ଏଲ୍‌ଇଟି) ୨୦୦୮ରେ ମୁମ୍ବାଇ ଆକ୍ରମଣ କରିଥିଲା। ଏଥିରେ ୬ ଆମେରିକୀୟଙ୍କ ସମେତ ୧୬୬ ଜଣ ନିହତ ହୋଇଥିଲେ। ଏଲ୍‌ଇଟି ପ୍ରତିଷ୍ଠାତା ହାଫିଜ୍‌ ସୟିଦଙ୍କୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଆଖ୍ୟାଦେଇ ତାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି।

Share