ଇସଲାମାବାଦ,୮।୪: ଜମାତ-ଉଦ-ଦାଓ୍ବା ମୁଖ୍ୟ, କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କୁ ଲାଗିଛି ଶକ୍ତ ଧକ୍କା। ଆତଙ୍କବାଦ ସହ ଜଡ଼ିତ ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିଲାଗି ତାଙ୍କୁ ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ସମସ୍ତ ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହାଫିଜ ସୟିଦ ତିଆରି କରିଥିବା ମସ୍ଜିଦ ଏବଂ ମାଦ୍ରାସାକୁ ତାଙ୍କ ମାଲିକାନାରୁ କାଢ଼ି ନିଆଯାଇଛି। ଏଥିସହ ହାଫିଜଙ୍କ ଉପରେ ୩ ଳକ୍ଷ ୪୦ ହଜାର ଟଙ୍କାର ଜରିମାନା ଲଗାଯାଇଛି।
ପ୍ରକାଶ ଯେ, ମିଳିତ ଜାତିସଂଘ ହାଫିଜ ସଇଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ଆମେରିକା ମଧ୍ୟ ତାଙ୍କ ଉପରେ ୧ କୋଟି ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ୨୦୧୯ ଜୁଲାଇ ୧୭ରେ ତାଙ୍କୁ ଗିରଫ କରାଯାଇ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ ସେ ଜେଲରେ ଅଛନ୍ତି।