Categories: ଖେଳ

ହାଇତି, ପର୍ତ୍ତୁଗାଲକୁ ପ୍ରଥମ ଥର ଯୋଗ୍ୟତା

ଅକ୍‌ଲାଣ୍ଡ, ୨୩ା୨(ଏପି): ହାଇତି ଓ ପର୍ତ୍ତୁଗାଲ ପ୍ରଥମ ଥର ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଉଭୟ ଦଳ ନ୍ୟୁଜିଲାଣ୍ଡରେ ସେମାନଙ୍କ ପ୍ଲେ-ଅଫ୍‌ ମ୍ୟାଚ ଜିତିଛନ୍ତି। ଖେଳର ୯୪ତମ ମିନିଟ୍‌ରେ କାରୋଲ୍‌ କୋଷ୍ଟାଙ୍କ ଗୋଲ୍‌ ବଳରେ ଗତଥରର ପ୍ରି-କ୍ୱାର୍ଟରଫାଇନାଲିଷ୍ଟ କାମେରୁନ୍‌ ବିପକ୍ଷରେ ପର୍ତ୍ତୁଗାଲ ୨-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ଏହା ପୂର୍ବରୁ ଏକ ଐତିହାସିକ ମ୍ୟାଚରେ ହାଇତି ୨-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲା। ଦଳ ତରଫରୁ ମେଲ୍‌ଚି ଡୁମୋର୍ନେ ଦୁଇଟିଯାକ ଗୋଲ୍‌ ସ୍କୋର କରିଥିଲେ। ୫୫ ର଼୍ୟାଙ୍କିଙ୍ଗପ୍ରାପ୍ତ ହାଇତି ବିଶ୍ୱକପ୍‌ ଗ୍ରୁପ୍‌ ଡି’ରେ ଇଂଲଣ୍ଡ, ଚାଇନା ଓ ଡେନମାର୍କ ବିପକ୍ଷରେ ଖେଳିବ। ଆସନ୍ତା ଜୁଲାଇ ଓ ଅଗଷ୍ଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ମହିଳା ଫୁଟବଲ ବିଶ୍ୱକପ୍‌ର ଆୟୋଜନ କରୁଛନ୍ତି। ଏଥିରେ ୩୨ଟି ଦଳ ଭାଗ ନେବେ। ଖାଲିଥିବା ୩ଟି ସ୍ଥାନ ପାଇଁ ନ୍ୟୁଜିଲାଣ୍ଡରେ ୧୦ଟି ଦଳକୁ ନେଇ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେ-ଅଫ୍‌ ଖେଳାଯାଉଛି। ସେଥିମଧ୍ୟରୁ ଦୁଇଟି ହାଇତି ଓ ପର୍ତ୍ତୁଗାଲ ପୂରଣ କରିଛନ୍ତି। ଅବଶିଷ୍ଟ ଗୋଟିଏ ସ୍ଥାନ ପାରାଗୁଏ ଓ ପାନାମା ମଧ୍ୟରେ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚର ବିଜେତା ପୂରଣ କରିବ।

 

Share