Categories: ଜାତୀୟ

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଛନ୍ତି। ବିଚାରପତି ଅନୀଲ କେ. ନରେନ୍ଦ୍ରମ୍‌ ଏବଂ ପି.ଜି. ଅଜିତ୍‌ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ମନ୍ଦିର ପ୍ରସାଦରେ ବିଶୁଦ୍ଧ ଗୁଡ଼ ବ୍ୟବହାର କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ବ୍ୟବହୃତ ଗୁଡ଼ ସ୍ବାସ୍ଥ୍ୟ ଦୃଷ୍ଟିରୁ ଉପଯୁକ୍ତ କି ନୁହେଁ ତାହାର ଯାଞ୍ଚ୍‌ ପାଇଁ ଖାଦ୍ୟ ସୁରକ୍ଷା ବିଭାଗକୁ କୁହାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪ରେ କରାଯିବ ନେଇ ଖଣ୍ଡପୀଠଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭଗବାନ ଆୟପ୍ପାଙ୍କ ପ୍ରସାଦ ପାଇଁ ବ୍ୟବହାର କରାଯାଉଥିବା ଗୁଡ଼ କିଣାରେ ଆଇନର ଉଲ୍ଲଂଘନ କରାଯାଉଥିବା ଆବେଦନରେ ଉଲ୍ଲେଖ କରାଯାଇଛି।

ତ୍ରାଭାଙ୍କୋର୍‌ ଦେବରାସ୍ବୋମ ବୋର୍ଡ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ, ପ୍ରସାଦ ପ୍ରସ୍ତୁତି ଲାଗି ବ୍ୟବହୃତ ପଦାର୍ଥର ଯାଞ୍ଚ୍‌ କରାଯାଇଥାଏ। ବିତରଣ ପୂର୍ବରୁ ମଧ୍ୟ ଏହାକୁ ପୁଣି ପରୀକ୍ଷା କରାଯାଇଥାଏ।

ତେବେ ଜାଣିଶୁଣି ପ୍ରସାଦ ବିକ୍ରି ଉପରେ ରୋକ ଲଗାଯାଇ ଆର୍ଥିକ କ୍ଷତି କରାଇବା ଲାଗି ଏଭଳି ଅଭିଯୋଗ ଅଣାଯାଇଥିବା ପ୍ରତିବାଦୀ ପକ୍ଷରୁ ଅଭିଯୋଗ କରାଯାଇଛି।

Share