ରୋମ୍, ୨୦ା୯ (ଏପି)-ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଯୋଗୁ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭା ମ୍ୟାଚ୍ ଅଧାରୁ ଓହରିଯିବା ଫଳରେ ଟପ୍ ସିଡ୍ ସିମୋନା ହାଲେପ୍ ପ୍ରଥମ ଖେଳାଳି ଭାବେ ଏଠାରେ ଚାଲିଥିବା ଇଟାଲିଆନ ଓପନ୍ ଟେନିସ୍ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁଟିଣ୍ଟସେଭା ଓହରିିଯିବା ପୂର୍ବରୁ ହାଲେପ୍ ୬-୨,୨-୦ରେ ଆଗୁଆ ରହିଥିଲେ। ସୂଚନାଯୋଗ୍ୟ, ହାଲେପ୍ ଟୁର୍ନାମେଣ୍ଟର ୨୦୧୭ ଓ ୨୦୧୮ ସଂସ୍କରଣ ଫାଇନାଲରେ ଏଲିନା ସ୍ବିତୋଲିନାଙ୍କଠାରୁ ହାରି ଯାଇଥିଲେ। ଫାଇନାଲରେ ପ୍ରବେଶ କରିବାକୁ ହେଲେ ତାଙ୍କୁ ଦୁଇଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଗାର୍ବିନ ମୁଗୁରେଜା କିମ୍ବା ୟୁଏସ୍ ଓପନ୍ ରନର୍ସ ଅପ୍ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରିବାକୁ ପଡ଼ିବ। ଏହି ଟୁର୍ନାମେଣ୍ଟ ପ୍ରକୃତରେ ମେ ମାସରେ ଖେଳାଯିବାର ଥିଲା। କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରତିଯୋଗିତା ଏପର୍ଯ୍ୟନ୍ତ ବିନା ଦର୍ଶକରେ ଚାଲିଥିଲା। ତେବେ ସେମିଫାଇନାଲ ଓ ଫାଇନାଲରେ ୧,୦୦୦ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଇଟାଲି କ୍ରୀଡ଼ା ମନ୍ତ୍ରୀ ଶୁକ୍ରବାର କହିଛନ୍ତି।