
କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ୍ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଜୀବନଶୈଳୀକୁ ନେଇ ଲୋକମାନେ ଜୀବନଧାରଣ କରି ଥାଆନ୍ତି। ହେଲେ ସାଧାରଣ ମଣିଷଙ୍କ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପୂର୍ବଜମାନେ ତିଆରି କରି ଯାଇଥିବା ରୀତିନୀତିକୁ ମଧ୍ୟ ଏମାନେ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରିଥାଆନ୍ତି। ଭିନ୍ନ ଭିନ୍ନ ଜନଜାତିର ନିୟମ ଅଲଗା ଅଲଗା ହୋଇଥାଏ। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନଙ୍କର ମୃତଦେହ ସଂସ୍କାର କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏଠାରେ ଲୋକେ ମୃତ ବ୍ୟକ୍ତିର ଶରୀରକୁ ସମାଧି ଦିଅନ୍ତି ନାହିଁ। ଏଠାରେ ମୃତ ଶରୀରକୁ ପୋଡା ଯାଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ ପୋଡିବା ପୂର୍ବରୁ ଅଧାଜଳା ଶରୀରକୁ ନିଆଁରୁ ବାହାର କରି ପରିଜନମାନେ ଘରକୁ ନେଇ ଆସନ୍ତି। ଏହାକୁ ମମି କରି ଘରେ ସାଇତି ରଖନ୍ତି। ପପୁଆ ନିଉ ଗିନିରେ ରହୁଥିବା ଦାନି ନାମକ ଏକ ଜନଜାତି ସେମାନଙ୍କ ପରିଜନଙ୍କ ମୃତ୍ୟୁ ହେଲେ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣି ମମି ପରି ବର୍ଷ ବର୍ଷ ଧରି ସାଇତି ରଖନ୍ତି। ତେବେ ପରିବାରର ଉକ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏପରି କରାଯାଏ ବୋଲି କୁହାଯାଏ। ଏପରି ନୀତିନିୟମରେ ପରିବର୍ତ୍ତନ ଆଣିବାକୁ ସେଠାକାର ସରକାର ଚେଷ୍ଟା ଚଳାଇଛନ୍ତି। ତେବେ ବର୍ତ୍ତମାନ କେତେ ଅଞ୍ଚଳରେ ଏପରି ଜନଜାତି ଆଉ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣୁ ନାହାନ୍ତି। ହେଲେ ପୂର୍ବରୁ ଘରେ ସାଇତା ହୋଇ ରହିଥିବା ମୃତ ଶରୀରକୁ ଦେଖିବାକୁ ଦୂରଦୂରାନ୍ତରରୁ ଅନେକ ଲୋକ ଏଠାକୁ ଆସୁଛନ୍ତି।