ଅଧା ସଫେଇ କରି ଛାଡ଼ିଦେଲେ

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନର୍ଦ୍ଦମା ଜଳରେ ସୃଷ୍ଟି ହେବାକୁ ଥିବା ବନ୍ୟାର ଭୟ ନୟାଗଡ଼ ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ହଟୁନି। କଲଭର୍ଟ ଓ ଡ୍ରେନ ନିର୍ମାଣରେ ତ୍ରୁଟି କାରଣରୁ ଏଠାରେ ବର୍ଷାଋତୁରେ କୃତ୍ରିମ ବନ୍ୟା ହୋଇ ଆସୁଛି। ଜିଲା ସଦର ମହକୁମାର ସହର ପୁଣି ମ୍ୟୁନିସିପାଲିଟିରେ ଏହି ୱାର୍ଡ ରହିଛି। ତେବେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ମ୍ୟୁନିସିପାଲିଟି ଅଥବା ପ୍ରଶାସନ କରୁ ନ ଥିବାର ଅଭିଯୋଗ ହୋଇ ଆସୁଛି। ଚଳିତମାସ ୨୨ରୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ନୟାଗଡ ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନ ଅଧା ସଫେଇ କରି ଛାଡି ଦେବା ପୁଣି ବନ୍ୟାର ଭୟକୁ ମନେ ପକାଇ ଦେଇଛି।
ପାହାଡିଆ ଅଞ୍ଚଳ ନୟାଗଡ଼। ଏଠାରେ ପାହାଡ଼ର ବର୍ଷା ଜଳ ଗଁା ଓ ସହର ମଧ୍ୟ ଦେଇ ବିଭିନ୍ନ ଅଞ୍ଚଳରେ ଯାଉଛି। ଜିଲା ସଦର ମହକୁମାରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି। ପାହାଡର ଜଳ କିଛି ଡ୍ରେନରେ ଓ ଆଉ କିଛି ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଦେଇ ପ୍ରବାହିତ ହେଉଛି। ୫୭ ନଂ. ଜାତୀୟ ରାଜପଥର ବ୍ରଜେନ୍ଦ୍ର ହାଇସ୍କୁଲ ପାର୍ଶ୍ୱରୁ ଆସିଥିବା ଡ୍ରେନ ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦ କରାଯାଇଛି। ଏଠାରେ ଥିବା କଲଭର୍ଟ ଦେଇ ବ୍ରଜେନ୍ଦ୍ର ହାଇସ୍କୁଲ ପାର୍ଶ୍ୱର ନର୍ଦ୍ଦମା ଜଳ ଭାଜପା ଜିଲା କାର୍ଯ୍ୟାଳୟ ନିକଟକୁ ଲାଗିଥିବା ଡ୍ରେନ ଦେଇ ଯିବାର ବ୍ୟବସ୍ଥା ହୋଇଛି। ଏଠାରେ କଲଭର୍ଟରେ ନର୍ଦ୍ଦମା ଜଳ ଚୋକ୍‌ ହୋଇ ଜାତୀୟ ରାଜପଥ ଉପରକୁ ବିଭିନ୍ନ ସମୟରେ ଉଠୁଛି। ବର୍ଷାର ପ୍ରକୋପ ବଢ଼ିଲେ ନର୍ଦ୍ଦମା ଜଳ ଘର ଭିତରେ ପଶି ପ୍ରାଚୀର, ଘର ଭାଙ୍ଗି ବାହାରକୁ ବାହାରୁଛି। ଗତ ୨୦୨୧ ସେପ୍ଟମ୍ବର ୨୭ ତାରିଖ ରାତିରେ ପରିବାର ଲୋକେ ଶୋଇଥିବାବେଳେ ଘରେ ପାଣି ପଶି ଘରକୁ ଭାଙ୍ଗିଥିଲା। ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖ ରାଜପଥ ଡ୍ରେନର ଜଳ, ସିନ୍ଦୁରିଆ ଓ ପାଟଚଣ୍ଡୀ ମନ୍ଦିର ସାହିର ଡ୍ରେନେଜ ଜଳ ଭାଜପା କାର୍ଯ୍ୟାଳୟର କଲଭର୍ଟ ନିକଟକୁ ଆସି ରାସ୍ତା ଉପରେ ୩ରୁ ୬ଫୁଟର ପାଣି ଜମା ହୋଇ ରହିଥିଲା। ପରେ ଭାଜପା ଜିଲା କାର୍ଯ୍ୟାଳୟର ପଛ ପାଖରେ ଥିବା ପୋଖରୀର ପ୍ରାଚୀର ପ୍ରାୟ ୨୦ ହାତ ଭାଙ୍ଗି ପୋଖରୀ ଜଳ ବନ୍ୟା ପରିସ୍ଥିତିକୁ ବଢ଼ାଇଥିଲା। ଏହି ନଦ୍ଦର୍ମା ଜଳ ୧ନଂ ୱାର୍ଡର ସଫି କୁଦିନ ଅହମ୍ମଦ, ମହମ୍ମଦ ସମସୁଦିନ, ଚିତ୍ତ ରଞ୍ଜନ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଜ୍ୟୋତି ରଞ୍ଜନ ସାହୁ,ସରିଫ ଉଦ୍ଦିନ ଖଁାଙ୍କ ଘର ସମେତ ନୟାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପାଖ ସାହି ଦେଇ ପାଣି ଜମି ରହିଲା। ପାହାନ୍ତିଆ ସମୟରେ ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ପ୍ରାୟ ୨୦ ହାତର ପ୍ରାଚୀର ଭାଙ୍ଗିବା ପରେ ଜଳସ୍ତର ହ୍ରାସ ପାଇଲା। ଏନେଇ ପବିତ୍ର ଦଳେଇ, ସୁଶାନ୍ତ ପ୍ରଧାନ, ଅବଦୁଲ ରେହମନ ଖାନ୍‌ କୁହନ୍ତି ଘରେ ପୂର୍ବରୁ ନର୍ଦ୍ଦମା ଜଳ ପଶୁଥିଲା। ହେଲେ ୨୦୨୧ ସେପ୍ଟେମ୍ବର ରାତିର ନଦ୍ଦର୍ମା ଜଳ ପଶିବା ପରି କେବେ ପଶି ନ ଥିଲା। ଘରେ ଶୋଇବା ସମୟରେ ବର୍ଷା ହେବା ଜଣାପଡି ନ ଥିଲା।ପୁଣି ନର୍ଦ୍ଦମା ଜଳ ଘରେ ପଶିବା ଜାଣି ହୋଇ ନ ଥିଲା। ଏଭଳି ସମୟରେ ଘରର ବହୁ ଆସବାବପତ୍ର ଓ ଖାଦ୍ୟ ପଦାର୍ଥ ନଷ୍ଟ ହୋଇ ଯାଇଥିଲା। ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ମୁଖ୍ୟ ଡ୍ରେନକୁ ଜିଲା ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଅଧା ସଫେଇ କରି ଛାଡି ଦେଇଛନ୍ତି। ଏଣୁ ପୁଣି ବନ୍ୟାର ଭୟ ପୁଣି ଘାରିଛି। ହେଲେ ଏହାର ସାମଧାନ କରାଯାଉନି କହି କ୍ଷୋଭ ପ୍ରକାଶ କରିଥିଲେ।

Share