୨୨ରେ ଅଧାଛୁଟି: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୯ା୧(ଅନିଲ ଦାସ): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଅପରାହ୍ନ ୨ଟା ୩୦ ମିନିଟ ଯାଏ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଧାଦିନ ଛୁଟି ଘୋଷଣା ପରେ ସରକାରୀ କର୍ମଚାରୀମାନେ ଘରେ ରହି ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଦେଖିପାରିବେ। ପ୍ରଧାନମନ୍ତ୍ରୀ ଉତ୍ସବର ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀମାନଙ୍କଠାରୁ ଅବଗତ ହେବା ସହ ସେମାନଙ୍କୁ ଘରେ ଦୀପ ଜଳାଇବା ଏବଂ ଗରିବଙ୍କୁ ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଉକ୍ତ ଦିନକୁ ଦୀପାବଳି ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ୨୨ ତାରିଖ ଉତ୍ସବ ପରେ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଲେ ମନ୍ତ୍ରୀମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଅଯୋଧ୍ୟା ଭ୍ରମଣ ବ୍ୟବସ୍ଥା କରାଇବେ ବୋଲି କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଥିଲେ। ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁୟାରୀ ୨୨ ତାରିଖକୁ ଛୁଟି ଘୋଷଣା କରିବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଛୁଟି ଘୋଷଣା କରିଛନ୍ତି।

Share