କେନ୍ଦ୍ରାପଡ଼ା ଅଫିସ, ୫ା୧: କେନ୍ଦ୍ରାପଡ଼ା ଜିଲାର ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିଛି। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ ରହିବ ବୋଲି ପ୍ରାଥମିକ ଆକଳନ କରାଯାଉଛି। ଏହାର କାରଣ କ୍ଷେତ ପାଇଁ ଜଳ ପରିଚାଳନା। ଅର୍ଦ୍ଧାଧିକ ଜମି ଜଳସେଚନରୁ ବଞ୍ଚତ୍ତ, ପାଣି ପଞ୍ଚାୟତ ଗଠନ, ପରିଚାଳନାଗତ ତ୍ରୁଟି ପାଇଁ ଚାଷ ଏବେ ଲାଭଜନକ ହେଉ ନ ଥିବା ଓ କୃଷକଙ୍କ ପ୍ରକୃତ ସମସ୍ୟାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ କଂସାର ଗଁାର ଚାଷୀ ନିରଞ୍ଜନ ପରିଡା, କୃଷକ ନେତା ଗୟାଧର ଧଳ କୁହନ୍ତି, ନିର୍ବାଚନ ସମୟ ଆସିଲେ ରାଜନେତାଙ୍କର ଚାଷୀଙ୍କ ସମସ୍ୟାଗୁଡିକ ମନେପଡ଼େ। ଇସ୍ତାହାର ପତ୍ରରେ ଚାଷୀ ଓ ଚାଷ ସମସ୍ୟାକୁ ଗୁରୁତ୍ୱ ଦିଆଯାଏ। ନିର୍ବାଚନ ପ୍ରକ୍ରିୟା ଶେଷ ପରେ ଏହି ଇସ୍ତାହାରର ଗୁରୁତ୍ୱ ରହେନାହିଁ। ଜିଲାର ୩୬,୦୩୮ ହେକ୍ଟର ଉଚ୍ଚ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ୭୦,୩୩୩ ହେକ୍ଟର ଜମିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ଚାଷୋପଯୋଗୀ ୭୫,୮୧୮ ହେକ୍ଟର ମଧ୍ୟମ ଜମି ମଧ୍ୟରୁ ୬୫,୦୩୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବିକ ତଥ୍ୟ ଏହାଠାରୁ ଭିନ୍ନ। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ। ପ୍ରତି ବ୍ଲକର ଅତିକମରେ ୩୫ ପ୍ରତିଶତ କ୍ଷେତକୁ ଜଳ ଯୋଗାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବାର ଦୀର୍ଘଦିନ ବିତିଥିଲେ ମଧ୍ୟ ଏହି ବ୍ଲକଗୁଡିକରେ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଯୁବବର୍ଗ ଚାଷ ଛାଡି କର୍ମ ନିଯୁକ୍ତି ପାଇଁ ବିଦେଶ ମୁହଁା ହେଉଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ଏ ନେଇ କୃଷି ବିଭାଗ ପକ୍ଷରୁ ଏକ ତଥ୍ୟ ମିଳିଛି। ଏହି ତଥ୍ୟ ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୨୮,୦୭୦ ହେକ୍ଟର ଚାଷ ଜମି ଥିବା ବେଳେ ମାତ୍ର ୬,୮୨୩ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି। ଅର୍ଥାତ ୨୪.୩୧ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜକନିକା ବ୍ଲକ ଅଞ୍ଚଳରେ ୩୩.୬୨ ପ୍ରତିଶତ କ୍ଷେତକୁ ଉଠା ଜଳସେଚନ ଓ ଅନ୍ୟ ଉତ୍ସ୍ୟରୁ ଜଳ ମିଳୁଛି। ଜିଲାରେ ୧,୧୧୪ ଟି ଲିଫ୍ଟ ଇରିଗେଶନ ଓ ୩,୦୬୩ଟି ସୋଲୋ ଟିଉବୱେଲ ମାଧ୍ୟମରେ ମୋଟ ୩୦,୬୮୧ ହେକ୍ଟରକୁ ଜଳସେଚନ ହେଉଥିବା ଏହି ତଥ୍ୟରେ ଉଲ୍ଲେଖ ଥିବା ବେଳେ ଅନ୍ୟ ଉତ୍ସରୁ ମାତ୍ର ୧୦,୬୨୪ ହେକ୍ଟର ପାଣି ମିଳୁଥିବା ଦର୍ଶାଯାଇଛି। ତେବେ ତୃଣମୂଳରେ ଏହାର ତନଖି କଲେ ଏହି ତଥ୍ୟ ଅବାସ୍ତବ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। କେତେକ ପାଣି ପଞ୍ଚାୟତରେ ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରୀ ଆଳରେ ହଡ଼ପ କରୁଛନ୍ତି। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ। ଗୋବରୀ, ଜମ୍ବୁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲ ଆଦିରେ ବିଲାତି ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ଜଳ ପହଞ୍ଚତ୍ ପାରୁନାହିଁ। ପ୍ରତିବର୍ଷ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ୫୫ ପଞ୍ଚାୟତରେ ଚାଷ ନଷ୍ଟ ହେଉଛି। ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷରୁ ନିବୃତ୍ତ କରୁଛି। ବିଭିନ୍ନ ନଦୀ, ନାଳରେ ବ୍ୟାରେଜ ଓ କ୍ରିକ୍ ବନ୍ଧ ଦ୍ୱାରା ମଧୁର ଜଳ ଅଟକାଇ ଚାଷ କ୍ଷେତକୁ ଜଳସେଚନ ହୋଇପାରନ୍ତା। ଏ ସମ୍ପର୍କରେ ଜଳ ସଦମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। କେନାଲର ଉନ୍ନତିକରଣ ସହ କ୍ରିକ୍ ବନ୍ଧ ନିର୍ମାଣ କରାଯାଉଛିି। ଆଗକୁ ନଦୀରେ ବ୍ୟାରେଜ ଓ ଅଧିକ କ୍ରିକ୍ ବନ୍ଧ ନିର୍ମାଣ ଯୋଜନା ରହିଛି।