କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ

ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚରେ କୋଭିଡ-୧୯ ଆରମ୍ଭ ହେବା ପରଠାରୁ ଉପଶମକାରୀ ଭାବେ ହୋମିଓପାଥିକ ଔଷଧ ଆର୍ସେନିକମ୍‌ ଆଲବମ-୩୦କୁ ରାଜ୍ୟର ଅଧାରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଛି ବୋଲି ଗୁଜରାଟର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗୁଜୁରାଟରେ କୋଭିଡ-୧୯ର ମୁକାବିଲା ରଣନୀତି ଉପରେ ଅଗଷ୍ଟ ୨୦ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମ୍ମୁଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ରିପୋର୍ଟ ଉପସ୍ଥାପନା କରିଯାଇଥିଲା। ଯେଉଥିଁରେ କୁହାଯାଇଛି, ରାଜ୍ୟରେ ପ୍ରାୟ ୩.୪୮ କୋଟି ଲୋକଙ୍କୁ ଆର୍ସେନିକମ୍‌ ଆଲବମ-୩୦ ବଣ୍ଟନ କରାଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ ଯେ, ଏହି ଔଷଧ କୋଭିଡ-୧୯ର ଚିକିତ୍ସାରେ ସହାୟକ ହେବ। କିନ୍ତୁ ରାଜ୍ୟ ସରକାର ଦାବି କରିଛନ୍ତି ଯେ, କ୍ୱାରାଣ୍ଟାଇନ୍‌ ଅବଧି ସମୟରେ ଆୟୁଷ (ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଓ ହୋମିଓପାଥି)ର ଲାଭ ଉଠାଇଥିବା ୯୯.୬ ପ୍ରତିଶତ ଲୋକ ଏହି ଔଷଧ ବ୍ୟବହାର କରିବା ପରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିଲେ। ଆୟୁଷ ଅଧୀନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦିଆଯାଇଥିବା ପରାମର୍ଶ ସହାୟକ ହୋଇଛି। ତେବେ ଆୟୁଷ ଚିକିତ୍ସାର ଫଳପ୍ରଦତାକୁ ଆକଳନ କରିବା ପାଇଁ ଏକ ଗବେଷଣା ମଧ୍ୟ କରାଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏଥିସହ ୩୩, ୨୬୮ଜଣ ଲୋକ ଆଇସୋଲେଶନ୍‌ ଅବଧିରେ ଆୟୁଷ ଔଷଧରୁ ଉପକୃତ ହୋଇଥିଲେ। ସେଥିମଧ୍ୟରୁ ଅଧା ଲୋକ ହୋମିଓପାଥି ଔଷଧ ସେବନ କରିଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସରକାର ଆର୍ସେନିକମ ଆଲବମ-୩୦ ଔଷଧର ସମ୍ଭାବନାକୁ ନେଇ ଆତ୍ମବିଶ୍ୱାସୀ ହୋଇଛନ୍ତି ବୋଲି ରବିବାର ଗୁଜୁରାଟର ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି। କାରଣ ଯେଉଁ ହଜାରେକରୋନା ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଇଥିଲା ସେଥିମଧ୍ୟରୁ ୯୯.୬୯ ପ୍ରତିଶତ ଲୋକ ସଂକ୍ରମଣ ମୁକ୍ତ ହୋଇଥିଲେ।

Share